ନୂଆଦିଲ୍ଲୀ: ନିଟ୍–ପିଜି ୨୦୨୫ ପରୀକ୍ଷାରେ ବିଭିନ୍ନ ବର୍ଗ ପାଇଁ କଟ୍-ଅଫ୍ ପର୍ସେଣ୍ଟାଇଲ୍କୁ ହ୍ରାସ କରାଯାଇଥିବା ମାମଲାରେ ସୁପ୍ରିମ୍କୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ବିଶେଷକରି ଅନୁସୂଚିତ ବର୍ଗ ପ୍ରାର୍ଥୀଙ୍କ ପାଇଁ କଟ୍-ଅଫ୍କୁ ବିଯୁକ୍ତ ୪୦ ମାର୍କ ପର୍ଯ୍ୟନ୍ତ କମାଇବା ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଶୁକ୍ରବାର ଶୁଣାଣି ସମୟରେ କୋର୍ଟ ନ୍ୟାସନାଲ ବୋର୍ଡ ଅଫ୍ ଏଗ୍ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନ୍ବିଇଏମ୍ଏସ୍)କୁ ଏହି ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ପାମିଦିଘଣ୍ଟମ୍ ଶ୍ରୀ ନରସିଂହ ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଜାନୁଆରି ୧୩ରେ ଏନ୍ବିଇଏମ୍ଏସ୍ ଜାରି କରିଥିବା ନୋଟିସ୍କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ। ସେହି ନୋଟିସ୍ରେ ନିଟ୍–ପିଜି ୨୦୨୫–୨୬ର ତୃତୀୟ ରାଉଣ୍ଡ କାଉନସେଲିଂ ପାଇଁ ଯୋଗ୍ୟତା କଟ୍-ଅଫ୍କୁ ହ୍ରାସ କରାଯାଇଥିଲା।
ଖଣ୍ଡପୀଠ କହିଛନ୍ତି ଯେ, ଏହି ନିଷ୍ପତ୍ତି ସଠିକ୍ କି ନୁହେଁ ତାହା କୋର୍ଟ ପରୀକ୍ଷା କରିବେ ଓ ଏଥିପାଇଁ ପ୍ରୟାପ୍ତ ଯୁକ୍ତି ଦରକାର। କୋର୍ଟଙ୍କ ବିବେକକୁ ସନ୍ତୁଷ୍ଟ କରିବା ପାଇଁ ସ୍ପଷ୍ଟ ବ୍ୟାଖ୍ୟା ଦେବାକୁ ଏନ୍ବିଇଏମ୍ଏସ୍କୁ କୁହାଯାଇଛି।
ଜାରି ବିଜ୍ଞପ୍ତି ଅନୁଯାୟୀ, ଜେନେରାଲ୍ ଓ ଇଡବ୍ଲ୍ୟୁଏସ୍ ବର୍ଗ ପାଇଁ କଟ୍-ଅଫ୍ ୫୦ତମ ପ୍ରତିଶତକ (୮୦୦ରୁ ୨୭୬ ମାର୍କ)ରୁ କମି ୭ତମ ପ୍ରତିଶତକ (୧୦୩ ମାର୍କ)କୁ ଆଣାଯାଇଛି। ଜେନେରାଲ୍ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଏହା ୪୫ତମ ପ୍ରତିଶତକରୁ କମି ୫ତମ ପ୍ରତିଶତକ (୯୦ ମାର୍କ) ହୋଇଛି। ଏସ୍ସି, ଏସ୍ଟି ଓ ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ୪୦ତମ ପ୍ରତିଶତକ (୨୩୫ ମାର୍କ)ରୁ ଶୂନ ପ୍ରତିଶତକ, ଅର୍ଥାତ୍ ବିଯୁକ୍ତ ୪୦ ମାର୍କ ପର୍ଯ୍ୟନ୍ତ ହ୍ରାସ କରାଯାଇଥିବା ଉଲ୍ଲେଖ ରହିଛି।





