କାଠମାଣ୍ଡୁ:
ନେପାଳରେ ଦୀର୍ଘଦିନ ଧରି ଚାଲିଆସୁଥିବା ଉଚ୍ଚ ମୂଲ୍ୟର ଭାରତୀୟ ମୁଦ୍ରା ନୋଟ୍ ଉପରେ ପ୍ରତିବନ୍ଧ ଉଠିବାକୁ ଯାଉଛି। ଏବେ ନେପାଳରେ ୨୦୦ ଓ ୫୦୦ ଟଙ୍କିଆ ଭାରତୀୟ ନୋଟ୍ ବ୍ୟବହାରକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ପ୍ରାୟ ଏକ ଦଶକ ପରେ ୧୦୦ ଟଙ୍କାଠାରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ପୁନଃ ପ୍ରଚଳନରେ ଆସିବାକୁ ଯାଉଛି।
ନେପାଳୀ ଦୈନିକ କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ଭାରତ ଯାତ୍ରା କରୁଥିବା ନେପାଳୀ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ଉଭୟ ଦେଶର ପର୍ଯ୍ୟଟକଙ୍କ ପାଇଁ ମୁଦ୍ରା ସମ୍ବନ୍ଧୀୟ ଅସୁବିଧାକୁ ବହୁ ପରିମାଣରେ କମାଇବ।
ନେପାଳ ରାଷ୍ଟ୍ର ବ୍ୟାଙ୍କ ଜାରି କରିବ ସର୍କୁଲାର
ନେପାଳ ରାଷ୍ଟ୍ର ବ୍ୟାଙ୍କ (NRB)ର ମୁଖପାତ୍ର ଗୁରୁ ପ୍ରସାଦ ପାଉଡେଲ କହିଛନ୍ତି ଯେ, ଏହି ସମ୍ପର୍କରେ ଶୀଘ୍ର ନେପାଳ ଗେଜେଟରେ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇବ। ତା’ପରେ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ନୂଆ ନିୟମ ନେଇ ସର୍କୁଲାର ଜାରି କରାଯିବ। ଯଦିଓ ଏହି ନିୟମ ଲାଗୁ ହେବାର ନିଶ୍ଚିତ ତାରିଖ ଘୋଷଣା ହୋଇନାହିଁ, ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବା ସେ କହିଛନ୍ତି।
ଦୀର୍ଘଦିନର ଦାବି ପୂରଣ
ନେପାଳରେ ଉଚ୍ଚ ମୂଲ୍ୟର ଭାରତୀୟ ନୋଟ୍ ଉପରେ ପ୍ରତିବନ୍ଧ ଥିବାରୁ ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ଗୁରୁତର ପ୍ରଭାବିତ ହେଉଥିଲା। ବିଶେଷକରି ଭାରତୀୟ ପର୍ଯ୍ୟଟକମାନେ ଅଜାଣତରେ ନିୟମ ଉଲ୍ଲଂଘନ କରି ଜରିମାନା ଓ ଗିରଫର ସମ୍ମୁଖୀନ ହେଉଥିଲେ। ଏହି ପରିସ୍ଥିତି ଦୃଷ୍ଟିରେ ରଖି ଦୀର୍ଘଦିନ ଧରି ପ୍ରତିବନ୍ଧ ଉଠାଇବା ଦାବି ହେଉଥିଲା।
RBI ନିୟମ ସଂଶୋଧନ ପରେ ନେପାଳର ନିଷ୍ପତ୍ତି
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ୨୮ ନଭେମ୍ବର ୨୦୨୫ରେ ବିଦେଶୀ ମୁଦ୍ରା ପରିଚାଳନା ନିୟମରେ ସଂଶୋଧନ କରାଯାଇଥିଲା। ଏହା ଅନୁଯାୟୀ, ବ୍ୟକ୍ତିବିଶେଷ ନେପାଳକୁ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ସହିତ ସର୍ବାଧିକ ₹୨୫,୦୦୦ ପର୍ଯ୍ୟନ୍ତ ଆଣିବା ଓ ଫେରାଇ ନେବାର ଅନୁମତି ପାଇଛନ୍ତି।
ବର୍ତ୍ତମାନ ନିୟମ ଅନୁଯାୟୀ, ନେପାଳ ଯାତ୍ରା କରୁଥିବା ପର୍ଯ୍ୟଟକମାନେ ୫,୦୦୦ ଡଲାର କିମ୍ବା ସମମୂଲ୍ୟର ଅନ୍ୟାନ୍ୟ ବିଦେଶୀ ମୁଦ୍ରା ରିପୋର୍ଟିଂ ବିନା ଆଣିପାରିବେ। ଏହାଠାରୁ ଅଧିକ ରାଶି ନେଇଲେ କଷ୍ଟମସ୍କୁ ଜଣାଇବା ଅନିବାର୍ୟ। ଉଲ୍ଲେଖଯୋଗ୍ୟ ଯେ, ଭାରତ ଏବେ ମଧ୍ୟ ନେପାଳ ପାଇଁ ସବୁଠାରୁ ବଡ଼ ପର୍ଯ୍ୟଟକ ଉତ୍ସ ଭାବେ ରହିଛି।





