ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ଭାରତର ଧାରା ଆଉ କଠୋର ହେଉଛି। ଜଳ, ଆକାଶ ଓ ସ୍ଥଳ ପଥ ବନ୍ଦ କରିବା ପରେ ଏବେ ସରକାର ନେଲା ଆଉ ଏକ ଗମ୍ଭୀର ପଦକ୍ଷେପ। ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀକୁ ପୂର୍ଣ୍ଣ ରୂପେ ନିଷେଦ୍ଧ କରିଦେଇଛି।

ବାଣିଜ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏହି ପଦକ୍ଷେପ ନିଆଯାଇଛି ଜାତୀୟ ସୁରକ୍ଷା ଓ ରାଷ୍ଟ୍ରୀୟ ସ୍ବାର୍ଥକୁ ମନେ ରଖି। ବିଶେଷ କରି ୨୨ ଏପ୍ରିଲରେ ପହଲଗାମ ଘଟଣାର ପ୍ରତିଶୋଧ ଭାବରେ ଏହାକୁ ଦେଖାଯାଉଛି।

ପୂର୍ବରୁ ସିନ୍ଧୁ ନଦୀ ଚୁକ୍ତି ରିଭ୍ୟୁ, ଓ୍ବାଘା ବର୍ଡର ବନ୍ଦ, ଭିସା ରଦ୍ଦ, ଆକାଶ ମାର୍ଗ ବନ୍ଦ ପରେ ଏବେ ବାଣିଜ୍ୟ ପଥ ବି ଠପ୍‌ ହୋଇଯାଇଛି। ଏହି ନିଷେଧାଜ୍ଞା ପାଇଁ କେବଳ ପ୍ରତ୍ୟକ୍ଷ ଆମଦାନୀ ନୁହେଁ, ବରଂ ପରୋକ୍ଷ ଭାବେ ତୃତୀୟ ଦେଶ ମାଧ୍ୟମରେ ଆସୁଥିବା ପାକିସ୍ତାନୀ ସାମଗ୍ରୀ ଉପରେ ମଧ୍ୟ ଲାଗୁ ହେବ।

ଭାରତ ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପାକିସ୍ତାନ ସହ କୌଣସି ଆର୍ଥିକ ନିକଟତା ରଖିବାର ଅବକାଶ ନାହିଁ। ଏହି ନୂତନ ବ୍ୟାନ୍ ଭବିଷ୍ୟତରେ ପାକିସ୍ତାନ ଉପରେ ଆର୍ଥିକ ଚାପ ବଢ଼ାଇବ ବୋଲି ଅନୁମାନ କରାଯାଉଛି।