ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ୨୦୨୬-୨୭ ଆସନ୍ତା ଏପ୍ରିଲ୍‌ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ଦେଶରେ ଅନେକ ନୂତନ ନିୟମ ଓ ପରିବର୍ତ୍ତନ ଲାଗୁ ହେବ, ଯାହା ସାଧାରଣ ଲୋକଙ୍କ ଦୈନିକ ଜୀବନରେ ସିଧାସଳଖ ପ୍ରଭାବ ପକାଇବ।

ନୂଆ ନିୟମମାନଙ୍କ ମଧ୍ୟରେ ଆୟକର ବ୍ୟବସ୍ଥାରୁ ଆରମ୍ଭ କରି ଫାସ୍‌ଟ୍ୟାଗ୍‌ ଶୁଳ୍କ, ଏଲ୍‌ପିଜି ଦର ଓ ବ୍ୟାଙ୍କିଂ ସେବା ପର୍ଯ୍ୟନ୍ତ ବହୁ କ୍ଷେତ୍ର ଅନ୍ତର୍ଭୁକ୍ତ ଅଛି।

ମୁଖ୍ୟ ପରିବର୍ତ୍ତନଗୁଡ଼ିକ ହେଲା:

୧. ଆୟକର ନିୟମରେ ପରିବର୍ତ୍ତନ:

୧୯୬୧ର ପୁରୁଣା ଆୟକର ଆଇନକୁ ବଦଳାଇ ଏକ ସରଳ ଓ ସଂକ୍ଷିପ୍ତ ନୂଆ ନିୟମ ଲାଗୁ କରାଯିବ।

୨. ପାନ୍‌ କାର୍ଡ ଆବେଦନ ସହଜ:

ପାନ୍‌ କାର୍ଡ ପାଇଁ ଏବେ କେବଳ ଆଧାରକୁ ପ୍ରମାଣ ଭାବେ ଗ୍ରହଣ କରାଯିବ। ଅନ୍ୟ ଡକ୍ୟୁମେଣ୍ଟ ଦେବା ଆବଶ୍ୟକ ରହିବ ନାହିଁ।

୩. ରେଳ ଟିକେଟ୍‌ ବାତିଲ ନିୟମ କଡା:

ଟ୍ରେନ୍‌ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଟିକେଟ୍‌ ବାତିଲ କଲେ ଆଉ ରିଫଣ୍ଡ ମିଳିବ ନାହିଁ।

୪. ଏଲ୍‌ପିଜି ଦରରେ ସମ୍ଭାବ୍ୟ ପରିବର୍ତ୍ତନ:

ପ୍ରତି ମାସର ପ୍ରଥମ ଦିନରେ ଏଲ୍‌ପିଜି ଓ ବିମାନ ଇନ୍ଧନ ଦର ସଂଶୋଧନ ହେବ। ଏପ୍ରିଲ୍‌ରେ ଦର ବୃଦ୍ଧି କିମ୍ବା କମିବାକୁ ନେଇ ଅନିଶ୍ଚିତତା ରହିଛି।

୫. ଫାସ୍‌ଟ୍ୟାଗ୍‌ ଶୁଳ୍କ ବୃଦ୍ଧି:

ବାର୍ଷିକ ପାସ୍‌ ଶୁଳ୍କ ୩୦୦୦ ଟଙ୍କାରୁ ବଢ଼ି ୩୦୭୫ ଟଙ୍କା ହେବ।

୬. ନୂଆ ଶ୍ରମ ସଂହିତା ଲାଗୁ:

କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ନିୟମ ଲାଗୁ ହେବା ସହ ବେତନ ଗଠନରେ ପରିବର୍ତ୍ତନ ଆସିପାରେ। ହାତକୁ ଆସୁଥିବା ବେତନ କମିପାରେ, କିନ୍ତୁ ଗ୍ରାଚୁଇଟି ବୃଦ୍ଧି ହେବ।

୭. ସୁନା ବଣ୍ଡ୍‌ରେ ଟିକସ:

ସୋଭରେନ୍‌ ଗୋଲ୍ଡ ବଣ୍ଡ୍‌ (SGB) ଉପରେ ପୁଞ୍ଜି ଲାଭ କର ଏପ୍ରିଲ୍‌ରୁ ଲାଗୁ ହେବ।

୮. ଏଟିଏମ୍‌ ବ୍ୟବହାର ନିୟମ ବଦଳ:

କିଛି ବ୍ୟାଙ୍କ, ବିଶେଷକରି ବନ୍ଧନ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ଏଟିଏମ୍‌ ଶୁଳ୍କ ଓ ବ୍ୟବହାର ନିୟମରେ ପରିବର୍ତ୍ତନ କରିଛନ୍ତି।