ନୂଆଦିଲ୍ଲୀ: ଦେଶରେ ଆତଙ୍କବାଦ ବିରୋଧୀ ଲଢ଼ାଇକୁ ଆହୁରି ସଶକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସଜି)ର ଜାତୀୟ ଆଇଇଡି ଡାଟା ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏନ୍ଆଇଡିଏମ୍ଏସ୍)କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଏନ୍ଏସଜି ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ବିଭିନ୍ନ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ଦେଶର ସୁରକ୍ଷା ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ପ୍ରକାରର ତଥ୍ୟକୁ ସଂଗ୍ରହ ଓ ବ୍ୟବସ୍ଥିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ହୋଇଛି। ଏନ୍ଆଇଡିଏମ୍ଏସ୍ ଆଗାମୀ ଦିନରେ ଦେଶରେ ଘଟୁଥିବା ଆତଙ୍କବାଦୀ ଘଟଣା, ବିସ୍ଫୋରଣ ଏବଂ ଆଇଇଡି ସମ୍ପର୍କିତ ତଦନ୍ତରେ ଏକ ମୁଖ୍ୟ ଭୂମିକା ନିଭାଇବ। ଏହା ଆତଙ୍କବାଦ ବିରୋଧରେ ପରବର୍ତ୍ତୀ ପିଢ଼ିର ସୁରକ୍ଷା କବଚ ଭାବେ କାମ କରିବ ବୋଲି ସେ କହିଛନ୍ତି।
ଗୃହମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷଗୁଡ଼ିକରେ ଗୃହ ମନ୍ତ୍ରଣାଳୟ ପାଖରେ ବହୁ ମୂଲ୍ୟବାନ ତଥ୍ୟ ସଂଗ୍ରହ ହୋଇଥିଲେ ମଧ୍ୟ ସେଗୁଡ଼ିକ ଅଲଗା ଅଲଗା ରହିଥିଲା। ବର୍ତ୍ତମାନ ଏହି ସମସ୍ତ ତଥ୍ୟକୁ ଏକ ମଞ୍ଚରେ ଆଣି ଏକ ଉନ୍ନତ ଏଆଇ ଆଧାରିତ ପ୍ରଣାଳୀ ମାଧ୍ୟମରେ ବିଶ୍ଳେଷଣ କରିବାକୁ ପ୍ରୟାସ ହେଉଛି। ଏନ୍ଆଇଡିଏମ୍ଏସ୍ର ଶୁଭାରମ୍ଭ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବ।
ଅମିତ ଶାହ କହିଛନ୍ତି ଯେ ଏନ୍ଆଇଡିଏମ୍ଏସ୍ ଜରିଆରେ ଏନ୍ଆଇଏ, ସାରା ଦେଶର ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ (ଏଟିଏସ୍), ରାଜ୍ୟ ପୁଲିସ ଓ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ପାଇଁ ଏକ ସମନ୍ୱିତ ଓ ଅନଲାଇନ୍ ଡାଟା ପ୍ଲାଟଫର୍ମ ଉପଲବ୍ଧ ହେବ। ଯେକୌଣସି ବିସ୍ଫୋରଣ କିମ୍ବା ଆଇଇଡି ସମ୍ବନ୍ଧୀୟ ତଥ୍ୟକୁ ଏଥିରେ ସାମିଲ କରାଯାଇପାରିବ, ଯାହା ତଦନ୍ତ ସମୟରେ ରାଜ୍ୟଗୁଡ଼ିକୁ ଆବଶ୍ୟକ ମାର୍ଗଦର୍ଶନ ଦେବ।
ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏନ୍ଏସଜି ପାଖରେ ୧୯୯୯ ମସିହାରୁ ଏପର୍ଯ୍ୟନ୍ତ ଘଟିଥିବା ସମସ୍ତ ବୋମା ବିସ୍ଫୋରଣ ସମ୍ବନ୍ଧୀୟ ତଥ୍ୟ ରହିଛି। ଏନ୍ଆଇଡିଏମ୍ଏସ୍ ମାଧ୍ୟମରେ ଏହି ତଥ୍ୟ ସାରା ଦେଶର ସୁରକ୍ଷା ଓ ତଦନ୍ତକାରୀ ସଂସ୍ଥାମାନଙ୍କୁ ଉପଲବ୍ଧ ହେବ। ବିସ୍ଫୋରଣର ଢାଞ୍ଚା, କାର୍ଯ୍ୟପ୍ରଣାଳୀ ଏବଂ ବ୍ୟବହୃତ ବିସ୍ଫୋରକର ବିଶ୍ଳେଷଣ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ଏହି ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।





