ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬–୨୭ ପାଇଁ କେନ୍ଦ୍ରୀୟ ବଜେଟ୍କୁ ଆସନ୍ତା ଫେବ୍ରୁଆରି ୧, ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଲୋକସଭାରେ ଉପସ୍ଥାପନ କରିବେ। ଏହା ସହିତ ସେ ଲଗାତାର ନବମଥର ପାଇଁ ବଜେଟ୍ ଉପସ୍ଥାପନ କରିବାର ସଫଳତା ହାସଲ କରିବେ।
ଏହି ସଫଳତା ସହ ନିର୍ମଳା ସୀତାରାମଣ ପୂର୍ବତନ ଅର୍ଥମନ୍ତ୍ରୀ ସି.ଡି. ଦେଶମୁଖଙ୍କ ରେକର୍ଡକୁ ଅତିକ୍ରମ କରିସାରିଛନ୍ତି। ସି.ଡି. ଦେଶମୁଖ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଲଗାତାର ସାତଥର ବଜେଟ୍ ଉପସ୍ଥାପନ କରିଥିଲେ।
ଯଦି ନିର୍ମଳା ସୀତାରାମଣ ୨୦୨୭–୨୮ ଆର୍ଥିକ ବର୍ଷରେ ମଧ୍ୟ ବଜେଟ୍ ଉପସ୍ଥାପନ କରନ୍ତି, ତେବେ ସେ ପୂର୍ବତନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସର୍ବାଧିକ ୧୦ଥର ବଜେଟ୍ ଉପସ୍ଥାପନର ଐତିହାସିକ ରେକର୍ଡକୁ ସମକକ୍ଷ ହେବେ। ମୋରାରଜୀ ଦେଶାଇ ୧୯୫୯ ରୁ ୧୯୬୪ ପର୍ଯ୍ୟନ୍ତ ୬ଥର ଏବଂ ୧୯୬୭ ରୁ ୧୯୬୯ ମଧ୍ୟରେ ୪ଥର ବଜେଟ୍ ଉପସ୍ଥାପନ କରିଥିଲେ।
ଅର୍ଥନୈତିକ ଓ ନୀତିଗତ ଦୃଷ୍ଟିକୋଣରୁ ଏହି ବଜେଟ୍କୁ ନେଇ ଦେଶବ୍ୟାପୀ ଅପେକ୍ଷା ଓ ଆଗ୍ରହ ଦେଖାଯାଉଛି।





