ନୂଆଦିଲ୍ଲୀ: ନୋଏଡାରେ ଜଣେ ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ପାଣିଭର୍ତ୍ତି ଗଭୀର ଖାତରେ ପଡ଼ି ପ୍ରାଣ ହରାଇବା ଘଟଣାକୁ ଗମ୍ଭୀରତାର ସହ ନେଇ ଉତ୍ତରପ୍ରଦେଶ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମାମଲାରେ ନୋଏଡା କର୍ତ୍ତୃପକ୍ଷର ସିଇଓ ଏମ୍‌ ଲୋକେଶଙ୍କୁ ବହିଷ୍କାର କରାଯାଇଛି। ସେ ଉତ୍ତରପ୍ରଦେଶ କ୍ୟାଡରର ୨୦୦୫ ବ୍ୟାଚ୍‌ ଆଇଏଏସ୍ ଅଧିକାରୀ ଥିବାବେଳେ, ତାଙ୍କୁ ନୋଏଡା ମେଟ୍ରୋ ରେଳ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରୁ ମଧ୍ୟ ମୁକ୍ତ କରାଯାଇଛି।

ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଗମ୍ଭୀର ଭାବେ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସଠିକ୍ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିକୁ ୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମିରଟ ଡିଭିଜନାଲ କମିଶନରଙ୍କ ନେତୃତ୍ୱରେ ଏକ ଏସ୍‌ଆଇଟି ଗଠିତ ହୋଇଛି, ଯାହାରେ ମିରଟ ଜୋନ୍‌ ଏଡିଜି ଓ ପିଡବ୍ଲ୍ୟୁଡିର ମୁଖ୍ୟ ଇଞ୍ଜିନିୟର ସଦସ୍ୟ ଭାବେ ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗୁରୁଗ୍ରାମରେ କାର୍ଯ୍ୟରତ ସଫ୍ଟୱେର ଇଞ୍ଜିନିୟର ଯୁବରାଜ ମେହେଟ୍ଟା ଜାନୁଆରି ୧୬ ତାରିଖ ରାତିରେ ଅଫିସରୁ ଘରକୁ ଫେରୁଥିବା ସମୟରେ ତାଙ୍କ କାର୍‌ ଏକ ଡ୍ରେନ୍‌ ପାଚେରିରେ ଧକ୍କା ଖାଇ ପାଣିଭର୍ତ୍ତି ଖାତକୁ ଖସି ପଡ଼ିଥିଲା। ପ୍ରାୟ ଦୁଇ ଘଣ୍ଟାର ଦୀର୍ଘ ସଂଘର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଓ ଆବଶ୍ୟକ ସାଧନର ଅଭାବ ନେଇ ଘଟଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ମୃତ ଇଞ୍ଜିନିୟରଙ୍କ ବାପା ରାଜକୁମାର ମେହେଟ୍ଟା କହିଛନ୍ତି, ଘଟଣା ରାତିରେ ପୁଅ ତାଙ୍କୁ ଫୋନ୍ କରି ସାହାଯ୍ୟ ଆବେଦନ କରିଥିଲା। ଉଦ୍ଧାର କାର୍ଯ୍ୟ ଯଥାସମୟରେ ହୋଇଥାନ୍ତା, ତେବେ ତାଙ୍କ ପୁଅର ଜୀବନ ବଞ୍ଚିପାରିଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ମୃତ୍ୟୁ ଘଟଣା ସମ୍ପର୍କରେ ନଲେଜ୍ ପାର୍କ କୋତୱାଲି ପୁଲିସ ମାମଲା ରୁଜୁ କରିଛି। ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ଏମ୍‌ଜେ ୱେଷ୍ଟଟାଉନ୍ ଓ ଲୋଟସ୍ ଗ୍ରିନ୍ ନାମକ ଦୁଇଟି ବିଲ୍ଡର କମ୍ପାନି ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ବେସ୍‌ମେଣ୍ଟରେ ଥିବା ଖାତ ଚାରିପଟେ ଯଥେଷ୍ଟ ବ୍ୟାରିକେଡ୍‌ ନ ଥିବାକୁ ନେଇ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି।