ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରୀମାନଙ୍କ ପାଇଁ ରେଲଓ୍ବେ ଆଣିଛି ଗୁରୁତ୍ୱପୂର୍ଣ୍ଣ ଓ ଖୁସିର ସୁବିଧା। ଆସନ୍ତା ଜାନୁଆରୀ ମାସରୁ ଯାତ୍ରୀମାନେ ନିଜର ବୁକ୍‌ ହୋଇଥିବା ଟିକେଟ୍‌ର ଯାତ୍ରା ତାରିଖ ବଦଳାଇ ପାରିବେ।

ଏହି ନୂତନ ନିୟମ ଯାତ୍ରୀମାନଙ୍କ ପାଇଁ ବହୁତ ସୁବିଧାଜନକ ହେବ, କାରଣ ଯାତ୍ରା ଯୋଜନା ଅକସ୍ମାତ ବଦଳିଲେ ଏବେ ସେମାନଙ୍କୁ ନୂତନ ଟିକେଟ୍‌ କିଣିବା ଅଥବା ଆର୍ଥିକ କ୍ଷତି ସହିବାକୁ ପଡ଼ିବ ନାହିଁ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ବ୍ୟବସ୍ଥା ଆସନ୍ତା ଜାନୁଆରୀ ଠାରୁ ପାଇଲଟ୍‌ ଭିତ୍ତିରେ ଆରମ୍ଭ ହେବ ଓ ପରବର୍ତ୍ତୀ ସମୟରେ ସମସ୍ତ ଜୋନରେ ଲାଗୁ ହେବ।

ବର୍ତ୍ତମାନ ଯାତ୍ରା ଯୋଜନା ବଦଳିଲେ ଯାତ୍ରୀମାନେ ଟିକେଟ୍‌ ବାତିଲ କରି ନୂଆ ଟିକେଟ୍‌ କିଣିବାକୁ ବାଧ୍ୟ ହୁଅନ୍ତି, ଯାହାରେ ଅନେକ ସମୟରେ ଅର୍ଥ ହାନି ହୁଏ। ନୂଆ ନିୟମ ଲାଗୁ ହେଲେ ଯାତ୍ରୀମାନେ କେବଳ ଏକ ନାମମାତ୍ର ଶୁଳ୍କ ଦେଇ ତାରିଖ ବଦଳାଇପାରିବେ।

ଏହି ପଦକ୍ଷେପ ରେଲଓ୍ବେର ଯାତ୍ରୀ ସେବାକୁ ଅଧିକ ସୁବିଧାଜନକ ଓ ଯାତ୍ରୀ-ମିତ୍ର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶେଷଜ୍ଞମାନେ କହିଛନ୍ତି।