ଭୁବନେଶ୍ୱର: ନେପାଳରେ ଉଦ୍ଭବିତ ସାମ୍ପ୍ରତିକ ଅସ୍ଥିର ପରିସ୍ଥିତି ମଧ୍ୟରେ ଫସିଥିବା ୨୩ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସରକାର ସଫଳତାର ସହ ଉଦ୍ଧାର କରି ଭାରତକୁ ଫେରାଇ ଆଣିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଣମାଧ୍ୟମକୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।
ଏହି ୨୩ଜଣ ଯାତ୍ରୀ ପଶୁପତିନାଥ ଦର୍ଶନ ପାଇଁ ନେପାଳ ଯାଇଥିଲେ। କିନ୍ତୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଦୁଇ ଦିନ ପର୍ଯ୍ୟନ୍ତ ଅଟକିଥିଲେ। ସମସ୍ତେ ଯାଜପୁର ଜିଲ୍ଲାର ମାଲଆନନ୍ଦପୁର ପଞ୍ଚାୟତର ହେବାକୁ ଜଣାପଡ଼ିଛି।
ସୂଚନା ପାଇବା ସହିତ ଓଡ଼ିଶା ସରକାରଙ୍କ ଓଡ଼ିଆ ପରିବାର ନିର୍ଦ୍ଦେଶାଳୟ, ନୂଆଦିଲ୍ଲୀସ୍ଥ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ ସ୍ଥିତ ଭାରତୀୟ ଦୂତାବାସ ଓ ରୋମାନିଆ ପାଇଁ ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କ ସହଯୋଗରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି।
ସମସ୍ତ ଯାତ୍ରୀ ସୁସ୍ଥ ଅବସ୍ଥାରେ ଭାରତକୁ ଫେରିଥିବାରେ ପରିବାରଜନଙ୍କ ମଧ୍ୟରେ ହାସୋଲ୍ଲାସର ପରିବେଶ ଦେଖାଯାଇଛି।