ଭୁବନେଶ୍ୱର: ରାଜ୍ୟରେ ସାର ସଂକଟ ଉଦ୍ଭବ ହେବା ପରେ ସରକାର ସତର୍କ ହୋଇଛି। ସାରର କଳାବଜାରୀ ଅଭିଯୋଗ ବୃଦ୍ଧି ପାଇବା ପରେ ସମବାୟ ବିଭାଗ ସମସ୍ତ ଜିଲ୍ଲାକୁ ପତ୍ର ଲେଖି କଠୋର କାର୍ଯ୍ୟାନୁଷ୍ଠାନ ନିବାକୁ ନିର୍ଦ୍ଦେଶ ଦେଇଛି।

ପ୍ୟାକ୍ସ ଓ ଲ୍ୟାମ୍ସ‌ରେ ଯଦି ସାର କଳାବଜାରୀ ପ୍ରମାଣିତ ହୋଇଥାଏ, ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି। ସେହିପାଇଁ ସମସ୍ତ ପ୍ୟାକ୍ସଙ୍କୁ ଲାଇସେନ୍ସ ନବୀକରଣ କରିବା ସହିତ ସାର ବଣ୍ଟନକୁ ପ୍ରାଥମିକତା ଦେବାକୁ ଆଦେଶ ଦିଆଯାଇଛି। ଏହା ସହିତ ନିର୍ଦ୍ଦେଶ ହେଉଛି—ସାର ବଣ୍ଟନ କାମରେ ସାମିଲ ନହେଲେ ପ୍ୟାକ୍ସମାନେ ଧାନ କିଣିପାରିବେ ନାହିଁ।

ସାର ଅଭାବରେ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନରେ ନାମିଥିବା ବେଳେ, ବଲାଙ୍ଗୀର ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ଅସାମାନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଶତାଧିକ ଚାଷୀ ରାତି ୩ଟାରୁ ଆଧାର କାର୍ଡ ନେଇ ସାର ପାଇଁ ଲାଇନରେ ଲଗିଥିଲେ।

ଗୌଡଗୋଠ ପ୍ୟାକ୍ସରେ ୭୬୦ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ, କିନ୍ତୁ ସେଠାକୁ କେବଳ ୩୧୫ ବସ୍ତା ସାର ଆସିଥିଲା। ଏହାରୁ ସାର ବଣ୍ଟନରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି।