ଖଇରାଗଡ଼: ଛତିଶଗଡ଼ର ଖଇରାଗଡ଼ ଜିଲ୍ଲାର ସରରାଗୋନ୍ଦି ଗାଁରେ ଏକ ଭାବବିହ୍ବଳ କରିଦେଇଥିବା ଘଟଣା ଘଟିଛି। ଜଣେ ବୃଦ୍ଧା ମହିଳା ନିଜେ ୨୦ ବର୍ଷ ପୂର୍ବେ ଲଗାଇଥିବା ଓସ୍ତ ଗଛକୁ ନିଜ ପୁଅ ଭଳି ପାଳିଥିଲେ। ସେ ପ୍ରତିଦିନ ଗଛକୁ ପାଣି ଦେଉଥିଲେ ଏବଂ ପୂଜା କରୁଥିଲେ। କିନ୍ତୁ ତାଙ୍କୁ ନଜଣାଇ ଗଛଟିକୁ କାଟିଦିଆଗଲାପରେ ସେ ଭାବନାରେ ଭାଙ୍ଗିପଡି କାନ୍ଦିଦେଲେ।

ଭିଡିଓରେ ଦେଖାଯାଇଛି, ବୃଦ୍ଧା ଗଛର ଗଣ୍ଡିକୁ ଧରି ଅସହାୟ ଭାବରେ କାନ୍ଦୁଛନ୍ତି। ତାଙ୍କ ଅବସ୍ଥା ଦେଖି ଗାଁ ଲୋକେ ମଧ୍ୟ ଭାବପ୍ରବଣ ହୋଇପଡିଥିଲେ। ବୃଦ୍ଧାଙ୍କ ଦୁଃଖ ଦେଖି ଗ୍ରାମବାସୀମାନେ ଖଇରାଗଡ଼ ପୁଲିସ ଷ୍ଟେସନ ପହଞ୍ଚି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଗଛଟି ସେମାନଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ ଥିଲା। ଜମି ବ୍ୟବସାୟୀ ଇମ୍ରାନ ମେମନ ଓ ତାଙ୍କ ସହଯୋଗୀ ପ୍ରକାଶ କୋସାରେଙ୍କ ନିର୍ଦ୍ଦେଶରେ ଗଛଟିକୁ କାଟାଯାଇଛି। ଗଛଟି ସରକାରୀ ଜମିରେ ଥିଲା ଏବଂ ଗାଁ ଲୋକେ ପ୍ରତିଦିନ ଏହାକୁ ପୂଜା କରୁଥିଲେ।

ଏହି ଘଟଣା ଲୋକମାନଙ୍କ ମନରେ ପ୍ରକୃତିପ୍ରେମ ଓ ମାନବତା ସମ୍ପର୍କରେ ଗଭୀର ଚିନ୍ତନ ଜନ୍ମାଇଛି।