ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପରେ ବିରୋଧୀ ଦଳଗୁଡ଼ିକ ରବିବାର କଟୁ ପ୍ରତିକ୍ରିୟା ଜଣାଇଛନ୍ତି। ବଜେଟ୍ରେ ଦେଶର ପ୍ରକୃତ ଅର୍ଥନୈତିକ ଓ ସାମାଜିକ ସମସ୍ୟାକୁ ଅଣଦେଖା କରାଯାଇଥିବା ବୋଲି କଂଗ୍ରେସ ସହ ଅନ୍ୟ ଦଳମାନେ ଅଭିଯୋଗ କରିଛନ୍ତି।
ଲୋକସଭାରେ ବିରୋଧୀ ଦଳନେତା ରାହୁଲ ଗାନ୍ଧୀ କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ରେ ଦେଶର ମୂଳ ସଙ୍କଟ ପ୍ରତି ଧ୍ୟାନ ଦିଆଯାଇନାହିଁ। ଯୁବମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଅଭାବ, ଉତ୍ପାଦନ କ୍ଷୟ, ନିବେଶ ପ୍ରତ୍ୟାହାର, ଘରୋଇ ସଞ୍ଚୟ ହ୍ରାସ ଓ ଚାଷୀ ସମସ୍ୟାକୁ ବଜେଟ୍ରେ ପ୍ରତିଫଳିତ କରାଯାଇନଥିବା ବୋଲି ସେ ମତ ଦେଇଛନ୍ତି।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଦୀର୍ଘ ଭାଷଣ ସତ୍ତ୍ୱେ ମୁଖ୍ୟ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ବଜେଟ୍ ଆବଣ୍ଟନର ସ୍ପଷ୍ଟ ଚିତ୍ର ମିଳିନାହିଁ। ଏଥିରେ ପ୍ରାଥମିକତା କ୍ଷେତ୍ରଗୁଡ଼ିକ ନେଇ ଅସ୍ପଷ୍ଟତା ରହିଛି ବୋଲି ସେ କହିଛନ୍ତି।
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବଜେଟ୍କୁ ନିରାଶାଜନକ ବୋଲି ବର୍ଣ୍ଣନା କରିଥିବାବେଳେ, ସାଂସଦ ଶଶୀ ଥରୁର କହିଛନ୍ତି ଯେ ତାଙ୍କ ରାଜ୍ୟ କେରଳ ସମ୍ବନ୍ଧରେ ପ୍ରୟାପ୍ତ ଉଲ୍ଲେଖ ନଥିବାରୁ ସେ ଅସନ୍ତୁଷ୍ଟ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ବଜେଟ୍ଟି କେବଳ ଧନୀ ବର୍ଗକୁ ଧ୍ୟାନରେ ରଖି ପ୍ରସ୍ତୁତ। ତାଙ୍କ କଥାରେ, ଏହା ସୀମିତ ଶ୍ରେଣୀର ଲୋକଙ୍କ ପାଇଁ ଲାଭକାରୀ। ଲୋକସଭା ସାଂସଦ ଡିମ୍ପଲ୍ ଯାଦବ ମଧ୍ୟ କହିଛନ୍ତି ଯେ ବଜେଟ୍ର ଭାଷା ସାଧାରଣ ଲୋକଙ୍କ ପାଇଁ ଜଟିଳ ଓ କୃଷକ ଏବଂ ମହିଳା ସୁରକ୍ଷା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା ଦେଖାଯାଇନାହିଁ।
ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ବଜେଟ୍ ଅଧ୍ୟୟନ ପରେ ମାତ୍ର ସେ ବିସ୍ତୃତ ମତ ଦେବେ।
ଅନ୍ୟପଟେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଲୋକଙ୍କ ଆକାଂକ୍ଷା ପୂରଣ କରିବା ଏବଂ ଗରିବ ଓ ବଞ୍ଚିତ ବର୍ଗକୁ ପ୍ରାଥମିକତା ଦେବା। ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ବିକଶିତ ଭାରତ ଗଠନ ଦିଗରେ ଆଗେଇବାକୁ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଛନ୍ତି।





