ନୂଆଦିଲ୍ଲୀ: ୨୦୨୬ ମସିହାର ପ୍ରଥମ ୧୫ ଦିନ ମଧ୍ୟରେ ଦିଲ୍ଲୀରେ ୮୦୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସର ରେକର୍ଡ ଅନୁଯାୟୀ, ଜାନୁଆରି ୧ରୁ ୧୫ ମଧ୍ୟରେ ମୋଟ ୮୦୭ଟି ନିଖୋଜ ମାମଲା ରୁଜୁ ହୋଇଛି, ଯାହା ପ୍ରତିଦିନ ହାରାହାରି ୫୪ଟି ଘଟଣାକୁ ସୂଚିତ କରୁଛି। ଏହାମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ମହିଳା ଓ ବାଳିକା ଥିବା ଜଣାପଡ଼ିଛି।

ପୁଲିସ ତଥ୍ୟ ଅନୁସାରେ, ମୋଟ ନିଖୋଜଙ୍କ ମଧ୍ୟରୁ ୫୦୯ ଜଣ ମହିଳା ଓ ବାଳିକା ଥିବାବେଳେ ୨୯୮ ଜଣ ପୁରୁଷ। ବୟସ ଆଧାରରେ ଦେଖିଲେ ୧୯୧ ଜଣ ନାବାଳକ-ନାବାଳିକା (୧୪୬ ବାଳିକା ଓ ୪୫ ପୁଅ) ଏବଂ ୬୧୬ ଜଣ ବୟସ୍କ ନିଖୋଜ ତାଲିକାରେ ଅଛନ୍ତି।

ଏପର୍ଯ୍ୟନ୍ତ ପୁଲିସ ୨୩୫ ଜଣଙ୍କୁ ଚିହ୍ନଟ କରିପାରିଛି, ଯାହାମଧ୍ୟରେ ୫୪ ଜଣ ଶିଶୁ (୨୫ ପୁଅ, ୨୯ ଝିଅ) ଓ ୧୮୧ ଜଣ ବୟସ୍କ (୯୦ ପୁରୁଷ, ୯୧ ମହିଳା) ଅଛନ୍ତି। ବର୍ତ୍ତମାନ ପ୍ରାୟ ୫୭୨ ଜଣ ଲୋକଙ୍କ ପତ୍ତା ମିଳିନାହିଁ।

୮ରୁ ୧୨ ବର୍ଷ ବୟସ ବର୍ଗରେ ୧୩ ଜଣ ପିଲା ନିଖୋଜ ହୋଇଥିବା ବେଳେ ସେଥିରୁ କେବଳ ୩ ଜଣଙ୍କୁ ଖୋଜାଯାଇଛି। ୮ ବର୍ଷରୁ କମ୍ ବୟସର ୯ ଜଣ ଶିଶୁ ନିଖୋଜ ରହିଥିବା ଖବର ମିଳିଛି, ସେମାନଙ୍କ ମଧ୍ୟରୁ ୩ ଜଣ ମିଳିଥିବାବେଳେ ୬ ଜଣଙ୍କ ଖୋଜ ଚାଲିଛି।

ଦୀର୍ଘକାଳୀନ ତଥ୍ୟ ଦେଖିଲେ, ୨୦୨୫ ମସିହାରେ ଦିଲ୍ଲୀରେ ମୋଟ ୨୪,୫୦୮ ଜଣ ନିଖୋଜ ରିପୋର୍ଟ ହୋଇଥିଲେ। ସେଥିରୁ ୧୫,୪୨୧ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୯,୦୮୭ ମାମଲା ଅସମାଧାନ ଅବସ୍ଥାରେ ରହିଛି। ୨୦୧୬ରୁ ୨୦୨୬ ମଧ୍ୟରେ ମୋଟ ୨.୩୨ ଲକ୍ଷରୁ ଅଧିକ ଲୋକ ନିଖୋଜ ହୋଇଥିବା ରିପୋର୍ଟ ରହିଛି।

କିଶୋର-କିଶୋରୀ ନିଖୋଜ ଘଟଣା ମଧ୍ୟ ଚିନ୍ତାର ବିଷୟ ହୋଇଉଠିଛି। ପ୍ରତିବର୍ଷ ହାରାହାରି ୫,୦୦୦ରୁ ଅଧିକ କିଶୋର ନିଖୋଜ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୩,୫୦୦ ବାଳିକା ଥାନ୍ତି। ପୁଲିସ କହିଛି, ସମସ୍ତ ମାମଲାରେ ତଦନ୍ତ ଓ ଖୋଜାଖୋଜି ଅଭିଯାନ ଜାରି ରହିଛି।