ଇସଲାମାବାଦ: ପାକିସ୍ତାନ–ଆଫଗାନିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନା ଦିନକୁ ଦିନ ଗୁରୁତର ଆକାର ଧାରଣ କରୁଛି। ସୀମାବର୍ତ୍ତୀ ଅଞ୍ଚଳରେ ଲଗାତାର ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଘଟୁଥିବାବେଳେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ବଡ଼ ସାମରିକ ଆକ୍ରମଣ କରାଯାଇଥିବା ଖବର ମିଳିଛି।
ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବାଜୌର ଜିଲ୍ଲାରେ ହୋଇଥିବା ଏହି ଅତର୍କିତ ଆକ୍ରମଣରେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ୪୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳ ଦୀର୍ଘଦିନ ଧରି ଉଗ୍ରବାଦୀ କାର୍ଯ୍ୟକଳାପ ଓ ସୀମା ସଂଘର୍ଷ ପାଇଁ ସଂବେଦନଶୀଳ ବୋଲି ପରିଚିତ।
ଟିଟିପି ପକ୍ଷରୁ ଗତ କିଛି ମାସ ଧରି ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଘଟିଥିବା ଅନେକ ଆକ୍ରମଣର ଦାୟିତ୍ୱ ନିଆଯାଇଛି। ସେମାନଙ୍କ ଦାବି ଅନୁସାରେ ସମ୍ପ୍ରତି ହୋଇଥିବା ଆକ୍ରମଣରେ କିଛି ସୀମା ପୋଷ୍ଟ ମଧ୍ୟ କବଜା କରାଯାଇଛି। ଏହା ପୂର୍ବରୁ ଶୁକ୍ରବାର ଘଟିଥିବା ଅନ୍ୟ ଏକ ଆକ୍ରମଣରେ ୫୫ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଦାବି କରାଯାଇଥିଲା।
ଏପଟେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ପାକଟିଆ ପ୍ରଦେଶରେ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ପାକିସ୍ତାନୀ ସେନା ବିମାନ ଆକ୍ରମଣ କରିଥିଲା। ଏହାର ପ୍ରତିଉତ୍ତର ସ୍ୱରୂପ ଆଫଗାନ ପକ୍ଷରୁ ପାକିସ୍ତାନର କିଛି ସାମରିକ ଓ ସମ୍ବେଦନଶୀଳ ସ୍ଥାନକୁ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି।
ସୋସିଆଲ୍ ମିଡିଆରେ ପ୍ରଚାରିତ କିଛି ଭିଡିଓରେ ରାଜଧାନୀ ଇସଲାମାବାଦର ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣ ଓ ନିଆଁ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ଦାବି କରାଯାଇଛି।
ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇନାୟତୁଲ୍ଲା ଖାୱାରାଜମିଙ୍କ କହିବା ଅନୁଯାୟୀ, ଫୈଜାବାଦ ନିକଟସ୍ଥ ସାମରିକ ଶିବିର, ନୌଶେରା ସାମରିକ ମୁଖ୍ୟାଳୟ, ଜାମରୁଦ ଓ ଆବୋଟାବାଦର କିଛି ସେନା ସଂସ୍ଥାପନାକୁ ଲକ୍ଷ୍ୟ କରାଯାଇଥିଲା।
ବିଶେଷଜ୍ଞମାନଙ୍କ ମତାନୁସାରେ, ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ତଣାପୋଡ଼ ଯୁଦ୍ଧ ସଦୃଶ ପରିସ୍ଥିତି ଦିଗରେ ଗତି କରୁଛି। ସୀମାଞ୍ଚଳରେ ଲଗାତାର ବିମାନ ଓ ଡ୍ରୋନ୍ ଆକ୍ରମଣ ହେଉଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ବୃଦ୍ଧି ପାଇଛି।
ଉଭୟ ଦେଶ ପକ୍ଷରୁ ପରିସ୍ଥିତି ଉପରେ କଠୋର ନଜର ରଖାଯାଇଥିବାବେଳେ ଆଗାମୀ ଦିନରେ ସଂଘର୍ଷ ଆହୁରି ତୀବ୍ର ହେବାର ଆଶଙ୍କା ପ୍ରକାଶ ପାଉଛି।





