କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ନିକଟସ୍ଥ ବାଗ୍ରାମ ଏୟାରବେସ୍ ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଆକ୍ରମଣ କରିଥିବା ଖବର ପ୍ରକାଶ ପାଇଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରବିବାର ସକାଳେ କାବୁଲ ସହରରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା, ପରେ ଆକାଶରେ ଯୁଦ୍ଧ ବିମାନ ଚଳଚଳାହଟ ଦେଖାଯାଇଥିଲା।
ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ଲଢୁଆ ବିମାନ ବାଗ୍ରାମ ଏୟାରବେସ୍କୁ ଲକ୍ଷ୍ୟ କରି ବୋମା ମାଡ଼ କରିଥିବା ସୂଚନା ମିଳିଛି। ଏହା ପରେ ତାଲିବାନ ସୁରକ୍ଷା ବଳ ପକ୍ଷରୁ ଆକାଶମାର୍ଗରେ ପ୍ରତିକ୍ରିୟା ସ୍ୱରୂପ ଗୁଳିଚାଳନା କରାଯାଇଥିବା କୁହାଯାଇଛି।
ତାଲିବାନ ପ୍ରଶାସନ ଏହି ଘଟଣାକୁ ଗୁରୁତର ସାମରିକ ଉତ୍ତେଜନା ବୋଲି ବର୍ଣ୍ଣନା କରିଥିବାବେଳେ, ଆଫଗାନିସ୍ତାନ-ପାକିସ୍ତାନ ସୀମା ଅଞ୍ଚଳରେ ପରିସ୍ଥିତି ଅଧିକ ସଂବେଦନଶୀଳ ହୋଇପଡ଼ିଛି। ଗତ କିଛି ଦିନ ଧରି ଦୁଇ ଦେଶ ମଧ୍ୟରେ ତଣାତଣି ବୃଦ୍ଧି ପାଉଥିବା ଦେଖାଯାଉଛି।
ପୂର୍ବରୁ ପାକିସ୍ତାନ ଆଫଗାନିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆଶ୍ରୟ ଦିଆଯାଉଥିବା ଅଭିଯୋଗ ଉଠାଇଥିଲା। ତେବେ ତାଲିବାନ ସରକାର ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଆସୁଛି। ସମ୍ପ୍ରତି ଘଟିଥିବା ଏହି ବିମାନ ଆକ୍ରମଣ ପରେ ତାଲିବାନ ଅଧିକାରୀମାନେ ଏହାକୁ ‘ଖୋଲା ସାମରିକ ସଂଘର୍ଷ’ ଭାବେ ବିବେଚନା କରିଛନ୍ତି।
ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିଆ ଅଞ୍ଚଳରେ ଚାଲୁଥିବା ଆନ୍ତର୍ଜାତୀୟ ସଂଘର୍ଷ ପରିପ୍ରେକ୍ଷିତରେ ଏହି ଘଟଣା ଅଞ୍ଚଳୀୟ ସୁରକ୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।





