ଇସଲାମାବାଦ: ଗୁରୁତର ଆର୍ଥିକ ସଙ୍କଟରେ ଫସିଥିବା ପାକିସ୍ତାନ ପୁଣିଥରେ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାରେ ଆସିଛି। ଆତଙ୍କବାଦକୁ ସମର୍ଥନ ଓ ଅର୍ଥନୈତିକ ଅବ୍ୟବସ୍ଥା ପାଇଁ ବାରମ୍ବାର ବଦନାମ ହେଉଥିବା ଏହି ଦେଶ ଏବେ ଏମିତି ଅବସ୍ଥାକୁ ପହଞ୍ଚିଛି, ଯେ ସରକାରୀ ବିମାନ ସେବା ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’ (PIA)କୁ ବିକ୍ରି କରିବାକୁ ସରକାର ବାଧ୍ୟ ହୋଇଛି।
ଶାହବାଜ ସରିଫ ସରକାର ମଙ୍ଗଳବାର ଦିନ PIAକୁ ୧୩୫ ବିଲିୟନ ଟଙ୍କାରେ ଘରୋଇକରଣ କରିଥିବା ଘୋଷଣା କରିଛନ୍ତି। ଦୀର୍ଘଦିନ ଧରି କ୍ଷତିରେ ଚାଲୁଥିବା ଏହି ସରକାରୀ ବିମାନ କମ୍ପାନୀକୁ ବଞ୍ଚାଇବାରେ IMF ସହ ବିଭିନ୍ନ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହଯୋଗ ମଧ୍ୟ ପର୍ଯ୍ୟାପ୍ତ ସାବିତ ହୋଇପାରିନାହିଁ।
PIAର ଘରୋଇକରଣ ପ୍ରକ୍ରିୟାରେ ତିନିଟି କମ୍ପାନୀ ନିଜ ନିଜ ବିଡ୍ ଦାଖଲ କରିଥିଲେ। ଶେଷରେ ଆରିଫ୍ ହବିବ୍ ଗ୍ରୁପ୍ ଏହି ନିଲାମୀରେ ବିଜୟୀ ହୋଇ ୧୩୫ ବିଲିୟନ ଟଙ୍କାରେ PIAକୁ କ୍ରୟ କରିଛି। ସରକାର ପୂର୍ବରୁ ଏହି ଏୟାରଲାଇନ୍ସର ରେଫରେନ୍ସ ମୂଲ୍ୟ ୧୦୦ ବିଲିୟନ ଟଙ୍କା ଧାର୍ଯ୍ୟ କରିଥିଲେ। ନିଲାମୀ ପ୍ରକ୍ରିୟାରେ ଆରିଫ୍ ହବିବ୍ ଗ୍ରୁପ୍ ଓ ଲକି ସିମେଣ୍ଟ ମଧ୍ୟରେ କଠିନ ପ୍ରତିସ୍ପର୍ଧା ଦେଖାଯାଇଥିଲା।
ସ୍ୱଚ୍ଛତା ନିଶ୍ଚିତ କରିବା ପାଇଁ ପାକିସ୍ତାନ ସରକାର ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟାକୁ ସ୍ଥାନୀୟ ଟେଲିଭିଜନ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରିଥିଲେ। ଏହା PIAକୁ ବିକ୍ରି କରିବାର ସରକାରଙ୍କ ଦ୍ୱିତୀୟ ପ୍ରୟାସ ଥିଲା। ପୂର୍ବରୁ ଟଙ୍କା ଅଭାବ ହେତୁ ଏହି ପ୍ରକ୍ରିୟା ସ୍ଥଗିତ ରହିଥିଲା। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଫେଡେରାଲ କ୍ୟାବିନେଟ ବୈଠକରେ ଘରୋଇକରଣ କମିଶନ ଓ ସରକାରୀ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅନ୍ୟପଟେ, ପାକିସ୍ତାନର ଦୁର୍ଦ୍ଦଶା ଏଠିରେ ଅଟକି ରହିନାହିଁ। ଦେଶର ଗରିବୀ ଓ ବେରୋଜଗାରି ଏତେ ବୃଦ୍ଧି ପାଇଛି ଯେ, ବିଦେଶରେ ଭିକ୍ଷାବୃତ୍ତି କରୁଥିବା ପାକିସ୍ତାନୀ ନାଗରିକମାନେ ଏବେ ବିଶ୍ୱସ୍ତରରେ ଚର୍ଚ୍ଚାର କାରଣ ହୋଇଛନ୍ତି। ମକ୍କା, ମଦିନା ସମେତ ଧନୀ ମୁସଲିମ୍ ଦେଶଗୁଡ଼ିକରେ ପାକିସ୍ତାନୀ ଭିକାରୀମାନଙ୍କ ଉପସ୍ଥିତି ଦେଶର ଛବିକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରୁଛି।
ସମ୍ପ୍ରତି ୩ଟି ଦେଶରୁ ପ୍ରାୟ ୩୨,୫୦୦ ପାକିସ୍ତାନୀ ଭିକାରୀଙ୍କୁ ବିଦା କରାଯିବା ପରେ ଏହି ପ୍ରସଙ୍ଗ ପୁଣି ଥରେ ଆଲୋଚନାରେ ଆସିଛି। ଖାଦ୍ୟ, ଇନ୍ଧନ ଓ ମୌଳିକ ସାମଗ୍ରୀର ଅଭାବ ସହ ଆର୍ଥିକ ବିପର୍ଯ୍ୟୟ ପାକିସ୍ତାନକୁ ଦିନକୁ ଦିନ ଅଧିକ ଦୁର୍ବଳ କରିଦେଉଛି। ଏହି ପରିସ୍ଥିତି ପାକିସ୍ତାନ ପାଇଁ ଆଗାମୀ ଦିନରେ ଆହୁରି ଗଭୀର ସଙ୍କଟ ନେଇଆସିବ ବୋଲି ବିଶ୍ଳେଷକମାନେ ଆଶଙ୍କା କରୁଛନ୍ତି।





