ୱାସିଂଟନ୍: ଆମେରିକାର ଶୀର୍ଷ ରାଜନୈତିକ ନେତାମାନଙ୍କୁ ଲକ୍ଷ୍ୟ କରି ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ନ୍ୟୁୟର୍କର ବ୍ରୁକଲିନ୍ ଫେଡେରାଲ୍ କୋର୍ଟରେ ମକଦମା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମ୍ଭାବ୍ୟ ଟାର୍ଗେଟ ଭାବେ ଉଲ୍ଲେଖ କରାଯାଇଛି।

ଅଭିଯୁକ୍ତ ଆସିଫ୍ ମର୍ଚାଣ୍ଟ ବର୍ତ୍ତମାନ ଜୁରିଙ୍କ ସମ୍ମୁଖରେ କୋର୍ଟରେ ହାଜର ହେଉଥିବା ବେଳେ, ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇପାରିବ ବୋଲି ଆଇନଜୀବୀମାନେ ସୂଚନା ଦେଇଛନ୍ତି।

ଆମେରିକୀୟ ପବ୍ଲିକ ପ୍ରସିକ୍ୟୁଟରଙ୍କ ଅନୁସାରେ, ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆସିଫ୍ ମର୍ଚାଣ୍ଟ ଆମେରିକାକୁ ପ୍ରବେଶ କରିଥିଲେ। ସେତେବେଳେ ଦେଶର ରାଜନୈତିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ସମୟରେ ସେ ହତ୍ୟା ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଏପ୍ରିଲ୍ ୨୦୨୪ରେ ଆମେରିକା ପହଞ୍ଚିବା ପରେ ସେ ଜଣେ ସୁପାରି କିଲର୍‌ ସହ ଯୋଗାଯୋଗ କରିଥିବା କୁହାଯାଉଛି, କିନ୍ତୁ ସେହି ବ୍ୟକ୍ତି ବାସ୍ତବରେ ଏଫବିଆଇର ଗୁପ୍ତ ଏଜେଣ୍ଟ ଥିଲେ।

ଏହା ସମ୍ପର୍କରେ ସୂଚନା ମିଳିବା ପରେ ଏଫବିଆଇ ଏକ ଷ୍ଟିଙ୍ଗ୍ ଅପରେସନ୍ ଚାଲାଇ ମର୍ଚାଣ୍ଟଙ୍କୁ ଗିରଫ କରିଥିଲା।

ଆମେରିକୀୟ ଅଧିକାରୀମାନଙ୍କ ସନ୍ଦେହ ଅନୁଯାୟୀ, ୨୦୨୦ରେ ଆମେରିକା କରିଥିବା ଡ୍ରୋନ ଆକ୍ରମଣରେ ଇରାନୀ ସାମରିକ କମାଣ୍ଡର କାସେମ ସୋଲେମାନୀଙ୍କ ମୃତ୍ୟୁ ପରେ ପ୍ରତିଶୋଧମୂଳକ ଚକ୍ରାନ୍ତ ହୋଇପାରେ। ଉକ୍ତ ଆକ୍ରମଣ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନକାଳରେ ଘଟିଥିଲା। କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ, ମର୍ଚାଣ୍ଟ ଆମେରିକା ଆସିବା ପୂର୍ବରୁ ଇରାନରେ ବସବାସ କରୁଥିଲେ ଏବଂ ସୋଲେମାନୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ, ଇରାନ ସରକାର ଏହି ପ୍ରକାର କୌଣସି ହତ୍ୟା ଷଡ଼ଯନ୍ତ୍ର ସହ ନିଜ ସମ୍ପୃକ୍ତିକୁ ପୁନଃପୁନି ଅସ୍ୱୀକାର କରିଆସୁଛି।