ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ପ୍ରଚଣ୍ଡ ହମଲା ଜାରି ରହିଥିବାବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଭାରତ ପାକିସ୍ତାନର ଜଣେ ପାଇଲଟଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଛି । ରାଜସ୍ଥାନର ଜୟସେଲମେରରେ ଖସିଥିବା ଏଫ-୧୬ରୁ ଉକ୍ତ ପାଇଲଟ ପାରାଚ୍ୟୁଟ୍ ମାଧ୍ୟମରେ ଖସିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ କିମ୍ବା ସେନା ପକ୍ଷରୁ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରାଯାଇନାହିଁ ।
ଆଉ ଏକ ରିପୋର୍ଟ ଅନୁସାରେ ଜମ୍ମୁ ଓ କଶ୍ମୀରର ଅଖନୁର ସେକ୍ଟରରେ ଖସିଥିବା ପାକିସ୍ତାନୀ ବିମାନରୁ ଆଉ ଜଣେ ପାଇଲଟଙ୍କୁ ଜୀବନ୍ତ ଧରା ଯାଇଛି । ତେବେ ଏହି ସୂଚନାକୁ ମଧ୍ୟ ଏପର୍ଯ୍ୟନ୍ତ ଭାରତ ସରକାର ସ୍ପଷ୍ଟ କରିନାହାନ୍ତି ।
ଅନ୍ୟପକ୍ଷରେ ଭାରତୀୟ ନୌସେନା ପାକିସ୍ତାନର କରାଚୀ ବନ୍ଦର ଉପରେ ଆକ୍ରମଣ ଆରମ୍ଭ କରିଛି । ସୂଚନା ଅନୁସାରେ ଏହି ଆକ୍ରମଣ ଯୋଗୁଁ କରାଚୀ ସହରର ପ୍ରବଳ କ୍ଷୟକ୍ଷତି ହୋଇଛି ।
ଅନ୍ୟପଟେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୁରନ୍ତ ହ୍ରାସ ପାଇଁ ଆମେରିକା ନିବେଦନ କରିଛନ୍ତି । ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ହୋଇ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଛନ୍ତି ।