ନୂଆଦିଲ୍ଲୀ: ଜଣେ ମା’–ବାପା ପାଇଁ ପୁଅର ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିବା ସ୍ୱାଭାବିକ। କିନ୍ତୁ ୧୨ ବର୍ଷ ଧରି ପୁଅକୁ କୋମା ଅବସ୍ଥାରେ ଦେଖି ଆସୁଥିବା ମାତାପିତା ଏବେ ତାଙ୍କ ପୁଅ ପାଇଁ ଶାନ୍ତିପୂର୍ଣ୍ଣ ମୃତ୍ୟୁ ଆଶା କରୁଛନ୍ତି। “ଆଉ ସହି ହେଉନି, ଏବେ ପୁଅ ଚାଲିଯିବା ଭଲ”—ଏହି କଥା କହି ସେମାନେ ସୁପ୍ରିମକୋର୍ଟରେ ଇଚ୍ଛାମୃତ୍ୟୁ ପାଇଁ ଗୁହାରି କରିଛନ୍ତି।
ଜାନୁଆରି ୧୩ରେ ଶୁଣାଣି
ଏହି ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜାନୁଆରି ୧୩ ତାରିଖରେ ଶୁଣାଣି କରିବେ। ହରିଶଙ୍କୁ ତାଙ୍କ ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତି ମିଳିବ କି, ନା ଆଉ କିଛି ଦିନ ଏଭଳି ଅବସ୍ଥାରେ ରହିବାକୁ ପଡ଼ିବ—ତାହା କୋର୍ଟର ରାୟ ପରେ ସ୍ପଷ୍ଟ ହେବ।
୨୦୧୩ରୁ କୋମାରେ ହରିଶ
ଦିଲ୍ଲୀ ସଂଲଗ୍ନ ଗାଜିଆବାଦର ବାସିନ୍ଦା ହରିଶ ରାଣା (ବୟସ ପ୍ରାୟ ୩୨ ବର୍ଷ) ୨୦୧୩ ମସିହାରେ ଇଞ୍ଜିନିୟରିଂ ପଢ଼ୁଥିବା ସମୟରେ ଚଣ୍ଡିଗଡ଼ରେ ତାଙ୍କ ପିଜିର ଚତୁର୍ଥ ମହଲା ବାଲକୋନିରୁ ଖସି ପଡ଼ିଥିଲେ। ଗମ୍ଭୀର ମୁଣ୍ଡ ଆଘାତ ଯୋଗୁଁ ସେ ସେହିଦିନଠାରୁ କୋମାରେ ଅଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଚେତା ଫେରି ନାହାନ୍ତି।
ସୁସ୍ଥ ହେବାର ଆଶା ନାହିଁ
୧୨ ବର୍ଷ ଧରି ହରିଶ ବିଛଣାରେ ପଡ଼ି ରହିଛନ୍ତି। ନା ସେ କଥା କହୁଛନ୍ତି, ନା ଚାଲିପାରୁଛନ୍ତି, ନା ନିଜ ଯନ୍ତ୍ରଣା ବ୍ୟକ୍ତ କରିପାରୁଛନ୍ତି। ଡାକ୍ତରୀ ମତାନୁସାରେ ତାଙ୍କ ଅବସ୍ଥାରେ କୌଣସି ସୁଧାର ହେବାର ସମ୍ଭାବନା ନାହିଁ।
ଚିକିତ୍ସା ଖର୍ଚ୍ଚରେ ଭାଙ୍ଗି ପଡ଼ିଛି ପରିବାର
ପୁଅର ଚିକିତ୍ସା ପାଇଁ ବାପା ଅଶୋକ ରାଣା ନିଜ ଘର ବିକ୍ରି କରିଦେଇଛନ୍ତି ଏବଂ ଚାକିରି ମଧ୍ୟ ହରାଇଛନ୍ତି। ଏବେ ମାତ୍ର ୩ ହଜାର ଟଙ୍କା ପେନ୍ସନରେ ସଂସାର ଚାଲୁଛି। ପରିବାର ପୋଷଣ ପାଇଁ ସେ ସାଣ୍ଡୱିଚ୍ ଓ ସ୍ପ୍ରାଉଟ୍ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ନର୍ସ ରଖିବା ସମ୍ଭବ ନ ହେବାରୁ, ମାତାପିତା ନିଜେ ହରିଶଙ୍କ ସେବା କରୁଛନ୍ତି।
ଦୁଇଥର ଖାରଜ ହୋଇଛି ଆବେଦନ
୨୦୧୮ ଓ ୨୦୨୩ ମସିହାରେ ହରିଶଙ୍କ ମାତାପିତା ସୁପ୍ରିମକୋର୍ଟରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ହେଲେ ଦୁଇଥର କୋର୍ଟ ଏହାକୁ ଖାରଜ କରିଥିଲେ। ଏଥର କୋର୍ଟ AIIMSରୁ ନୂତନ ଡାକ୍ତରୀ ରିପୋର୍ଟ ମାଗିଥିଲେ, ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ହରିଶଙ୍କ ଅବସ୍ଥାରେ ସୁଧାରର କୌଣସି ଆଶା ନାହିଁ।
ଏବେ ସମସ୍ତଙ୍କ ଦୃଷ୍ଟି ଜାନୁଆରି ୧୩ର ସୁପ୍ରିମକୋର୍ଟ ଶୁଣାଣି ଉପରେ ରହିଛି।





