ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଗାମୀ 8 ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ଆଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଧରାପଡ଼ିଥିବା କୌଣସି କୁକୁରକୁ ପୁଣିଥରେ ରାସ୍ତାରେ ଛାଡ଼ାଯିବ ନାହିଁ।
ଏହି ନିର୍ଦ୍ଦେଶ ଉପରେ ପେଟା ଇଣ୍ଡିଆ ଆଡଭୋକେସି ଆସୋସିଏଟ୍ ଶୌର୍ଯ୍ୟ ଅଗ୍ରୱାଲ ଏହାକୁ “ଅବାସ୍ତବ ଏବଂ ଅଯୌକ୍ତିକ” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ପ୍ରାୟ 10 ଲକ୍ଷ କୁକୁର ଅଛନ୍ତି, ଯେଉଁଥିରୁ ଅଧାରୁ କମ୍ଙ୍କର ବନ୍ଧ୍ୟାକରଣ ହୋଇଛି। ଏତେ ବିଶାଳ ସଂଖ୍ୟକ କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ଅବ୍ୟବହାରିକ, ବେଆଇନ ଏବଂ ପଶୁ କଲ୍ୟାଣର ପରିପ୍ରେକ୍ଷ୍ୟରେ କ୍ଷତିକାରକ।
ଶୌର୍ଯ୍ୟ ଅଗ୍ରୱାଲ କହିଛନ୍ତି, 24 ବର୍ଷ ଧରି ଦିଲ୍ଲୀ ସରକାରଙ୍କ ପାଖରେ ପଶୁ ଜନ୍ମ ନିୟନ୍ତ୍ରଣ (ABC) ନିୟମ କାର୍ଯ୍ୟକାରୀ କରିବାର ସୁଯୋଗ ଥିଲା, କିନ୍ତୁ ତାହା ପୂର୍ଣ୍ଣ ଭାବରେ କରାଯାଇନି। ସେ ସୂଚନା ଦେଇଛନ୍ତି ଯେ, ପେଟା ସୁପ୍ରିମକୋର୍ଟ ଆଦେଶ ବିରୁଦ୍ଧରେ ଆଇନଗତ ବିକଳ୍ପ ଖୋଜୁଛି।
ପଶୁ ଜନ୍ମ ନିୟନ୍ତ୍ରଣ ନିୟମ, 2023 ଅନୁସାରେ, ବୁଲା କୁକୁରଙ୍କର ବନ୍ଧ୍ୟାକରଣ ଏବଂ ଟୀକାକରଣକୁ ବାଧ୍ୟତାମୂଳକ କରାଯାଇଛି, ଯାହା ମାଧ୍ୟମରେ କୁକୁର-ମଣିଷ ସଂଘର୍ଷ ଏବଂ ଜଳାତଙ୍କ ଭଳି ରୋଗ ନିୟନ୍ତ୍ରଣ କରାଯିବ।
ସୁପ୍ରିମକୋର୍ଟ ଦିଲ୍ଲୀ ସରକାର, MCD ଏବଂ NDMCକୁ 5,000 କୁକୁର ପାଇଁ ତୁରନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଲକ୍ଷ୍ୟ — ଦିଲ୍ଲୀ-ଏନସିଆରକୁ ବୁଲା କୁକୁରମୁକ୍ତ କରି, ପିଲା, ମହିଳା ଏବଂ ବୃଦ୍ଧଙ୍କୁ ରାସ୍ତାରେ ସୁରକ୍ଷା ପ୍ରଦାନ କରା।