ନୂଆଦିଲ୍ଲୀ: ଫିଜିଓଥେରାପିଷ୍ଟମାନେ ଡାକ୍ତର ନୁହେଁ ଓ ସେମାନେ ‘ଡକ୍ଟର’ ପ୍ରିଫିକ୍ସ ବ୍ୟବହାର କରିପାରିବେନି ବୋଲି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି। ଏହାକୁ ନେଇ ମହାନିର୍ଦ୍ଦେଶକ ଡା. ସୁନୀତା ଶର୍ମା ଏକ ନିର୍ଦ୍ଦେଶନାମା ଜାରି କରି ଆଇଏମ୍ର ଜାତୀୟ ସଭାପତି ଡା. ଦିଲୀପ ଭାନୁଶାଳୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।
ସେ କହିଛନ୍ତି, “ଫିଜିଓଥେରାପିଷ୍ଟମାନେ ଚିକିତ୍ସାକ୍ଷେତ୍ରରେ ଡାକ୍ତର ଭାବେ ତାଲିମ ପ୍ରାପ୍ତ ନୁହନ୍ତି। ତେଣୁ ‘ଡକ୍ଟର’ ଉପସର୍ଗ ବ୍ୟବହାର କରିବା ସାଧାରଣ ଲୋକ ଓ ରୋଗୀମାନଙ୍କୁ ଭ୍ରମିତ କରେ।”
ଏହାସହିତ ସେ ଏହାକୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଫିଜିଓଥେରାପିଷ୍ଟମାନଙ୍କୁ ପ୍ରାଥମିକ ଚିକିତ୍ସା ଅଭ୍ୟାସରେ ଅନୁମତି ଦିଆଯିବା ଉଚିତ୍ ନୁହେଁ, ବରଂ ସେମାନେ କେବଳ ରେଫର୍ ହୋଇଥିବା ରୋଗୀଙ୍କୁ ଚିକିତ୍ସା କରିବାକୁ ସୀମିତ ରହିବା ଉଚିତ୍। କାରଣ ଅଯଥା ହସ୍ତକ୍ଷେପ ରୋଗକୁ ଆହୁରି ଜଟିଳ କରିପାରେ।
ଚିଠିରେ ପାଟନା ଏବଂ ମାଡ୍ରାସ ହାଇକୋର୍ଟ ସହିତ ଦେଶର ମେଡିକାଲ କାଉନସିଲଙ୍କ ପୂର୍ବ ଆଇନଗତ ଘୋଷଣା ଓ ନିର୍ଦ୍ଦେଶନାମାଗୁଡ଼ିକୁ ଉଲ୍ଲେଖ କରାଯାଇଛି, ଯେଉଁଥିରେ ଫିଜିଓଥେରାପିଷ୍ଟ ଓ ଅନ୍ୟାନ୍ୟ ପ୍ୟାରାମେଡିକାଲ ପ୍ରାକ୍ଟିଶନରମାନଙ୍କୁ ‘ଡକ୍ଟର’ ଉପସର୍ଗ ବ୍ୟବହାର କରିବାରେ ପ୍ରତିବନ୍ଧ ଲାଗୁ ହୋଇଥିଲା।