ନୂଆଦିଲ୍ଲୀ: ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଆଜି ଏକ ସଂକ୍ଷିପ୍ତ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ତାଙ୍କ ଆଗମନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ସ୍ୱୟଂ ବିମାନବନ୍ଦରକୁ ଯାଇ ତାଙ୍କୁ ସ୍ବାଗତ କରିଥିଲେ। ମାତ୍ର ୨ ଘଣ୍ଟାର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ଓ ବିଶେଷ ସମ୍ପର୍କର ସ୍ପଷ୍ଟ ପ୍ରତିବିମ୍ବ ବୋଲି କୂଟନୀତିକ ମହଳରେ ମତ ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣକ୍ରମେ ଭାରତ ଗସ୍ତରେ ଆସିଥିବା ଶେଖ ମହମ୍ମଦଙ୍କୁ ସ୍ବାଗତ କରିବା ପରେ ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି କହିଥିଲେ, “ମୋ ଭାଇ, ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କୁ ବିମାନବନ୍ଦରରେ ସ୍ବାଗତ କରିବା ସୁଯୋଗ ମିଳିଲା। ତାଙ୍କ ଗସ୍ତ ଭାରତ-ୟୁଏଇ ମଧ୍ୟରେ ଥିବା ଦୃଢ଼ ବନ୍ଧୁତାକୁ ପୁନଃରୁଦ୍ଧାର କରେ।”

ବିମାନବନ୍ଦରରୁ ପରେ ପ୍ରଧାନମନ୍ତ୍ରୀ ମୋଦୀ ଶେଖ ମହମ୍ମଦ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ଲୋକ କଲ୍ୟାଣ ମାର୍ଗସ୍ଥିତ ନିଜ ସରକାରୀ ବାସଭବନରେ ସ୍ବାଗତ କରିଥିଲେ। ଏହି ଅବସରରେ ମୋଦୀ ତାଙ୍କୁ କିଛି ସାଂସ୍କୃତିକ ଉପହାର ମଧ୍ୟ ପ୍ରଦାନ କରିଥିଲେ। ଏଥିରେ ଫୁଲ ଓ ପାରମ୍ପରିକ ଆକୃତିରେ ପ୍ରସ୍ତୁତ ଏକ ଗୁଜରାଟୀ ଝୁଲା ଏବଂ ଏକ ହାତବୁଣା କାଶ୍ମୀରୀ ପଶମିନା ସାଲ୍‌ ଅନ୍ତର୍ଭୁକ୍ତ ଥିଲା।

ସୂଚନାନୁଯାୟୀ, ଏହି ସଂକ୍ଷିପ୍ତ ଗସ୍ତ ସମୟରେ ମୋଦୀ ଓ ୟୁଏଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଭାରତ-ୟୁଏଇ ବ୍ୟାପକ ରଣନୈତିକ ସହଭାଗିତା ଉପରେ ଆଲୋଚନା ହୋଇଥିଲା। ଉଭୟ ନେତା ମିଳିତ ସ୍ବାର୍ଥ ସଂପୃକ୍ତ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକୁ ନେଇ ମତବିନିମୟ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ୟୁଏଇ ରାଷ୍ଟ୍ରପତି ହେବା ପରେ ଏହା ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କର ତୃତୀୟ ଭାରତ ଗସ୍ତ।