ନୂଆଦିଲ୍ଲୀ: ଭାରତ ମଣ୍ଡପମ୍ରେ ଆୟୋଜିତ ବିଶ୍ବର ସର୍ବବୃହତ୍ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’କୁ ପ୍ରଧାନମନ୍ତ୍ରୀ Narendra Modi ଉଦ୍ଘାଟନ କରିଛନ୍ତି। ସେ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରି ଏକ୍ସପୋରେ ଭାଗ ନେଇଥିବା ଷ୍ଟାର୍ଟଅପ୍ଗୁଡ଼ିକ ସହ ଆଲୋଚନା କରିଥିଲେ।
ଚଳିତ ମାସ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ, ଜାପାନ, ରୁଷ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ସହ ୧୩ଟି ଦେଶ ସ୍ୱତନ୍ତ୍ର ପାଭିଲିୟନ ସ୍ଥାପନ କରିଛନ୍ତି। ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ତାଙ୍କର ଅଭିନବ ଏଆଇ ଚିନ୍ତାଧାରା ଉପସ୍ଥାପନ କରୁଛନ୍ତି। ଆସନ୍ତାକାଲିଠାରୁ ସମ୍ମିଳନୀ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ‘ଜନତା, ଗ୍ରହ ଓ ପ୍ରଗତି’—ଏହି ତିନିଟି ସ୍ତମ୍ଭ ଉପରେ ଆଧାରିତ ସମ୍ମିଳନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ମଧ୍ୟ ପାଭିଲିୟନ ସ୍ଥାପନ କରିଛନ୍ତି।
ବିଶାଳ ଆୟୋଜନ
ସରକାରୀ ଆକଳନ ଅନୁସାରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬’କୁ ଅଢ଼େଇ ଲକ୍ଷରୁ ଅଧିକ ପ୍ରତିନିଧି ପରିଦର୍ଶନ କରିବେ। ୫୦୦ରୁ ଅଧିକ ଅଧିବେଶନରେ ୩୨୫୦ରୁ ଅଧିକ ବକ୍ତା ଭାଗ ନେବେ। ୭୦ ହଜାର ବର୍ଗମିଟରରୁ ଅଧିକ ସ୍ଥାନରେ ଆୟୋଜିତ ଏହି ସମ୍ମିଳନୀରେ ୧୦ଟି ଆରେନା ରହିଛି। ବିଶ୍ବର ଅଗ୍ରଣୀ ପ୍ରଯୁକ୍ତି କମ୍ପାନି, ଟେକ୍ ଲିଡର୍, ଷ୍ଟାର୍ଟଅପ୍, ଗବେଷଣା ଓ ଶିକ୍ଷାନୁଷ୍ଠାନ ଏକ ମଞ୍ଚରେ ଏକତ୍ରିତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ମତ
ପୂର୍ବାହ୍ନରେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି Narendra Modi କହିଥିଲେ ଯେ, ଏଆଇ ରୂପାନ୍ତର କ୍ଷେତ୍ରରେ ଭାରତ ଆଗରେ ରହିଛି। ଏଆଇ କ୍ଷେତ୍ରରେ ହେଉଥିବା ପ୍ରୟାସ ଭାରତର ଅଭିଳାଷ ଓ ଦାୟିତ୍ୱକୁ ପ୍ରତିଫଳିତ କରୁଛି। ବିଶ୍ୱର ନେତୃବୃନ୍ଦ, ଶିଳ୍ପ ମୁଖ୍ୟ, ଉଦ୍ଭାବକ, ନୀତିନିର୍ମାତା ଓ ଗବେଷକମାନଙ୍କୁ ସେ ସ୍ୱାଗତ କରିଥିଲେ।
ସମ୍ମିଳନୀର ମୁଖ୍ୟ ବିଷୟ ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ରହିଛି। ମାନବକେନ୍ଦ୍ରିକ ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିବତ୍ତାକୁ ବ୍ୟବହାର କରିବାର ମିଳିତ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି, ଶାସନ ଓ ଉଦ୍ୟୋଗ କ୍ଷେତ୍ରରେ ଏଆଇ ରୂପାନ୍ତର ଆଣୁଥିବା କଥା ଉଲ୍ଲେଖ କରି ସମ୍ମିଳନୀର ଫଳାଫଳ ଭବିଷ୍ୟତକୁ ନୂଆ ଦିଶା ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ।





