ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାକୁ ନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ମନ୍ତବ୍ୟ ନୂଆ ବିବାଦ ସୃଷ୍ଟି କରିଛି। ଲୁଟନିକ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍‌ କରିନଥିବାରୁ ଏହି ଚୁକ୍ତି ଚୂଡ଼ାନ୍ତ ହୋଇପାରିନାହିଁ।

ତେବେ ଲୁଟନିକଙ୍କ ଏହି ଦାବିକୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ସଫା ସଫା ଭାବେ ପ୍ରତ୍ୟାଖ୍ୟାନ କରିଛି। ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୫ ମସିହାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫୋନ୍‌ ମାଧ୍ୟମରେ ୮ଥର ଆଲୋଚନା କରିଛନ୍ତି। ଏହି ସମସ୍ତ ଆଲୋଚନାରେ ଭାରତ–ଆମେରିକା ବ୍ୟାପକ ସହଭାଗୀତାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିଦେଶ ମନ୍ତ୍ରଣାଳୟ କହିଛି ଯେ ଭାରତ ଓ ଆମେରିକା ଗତ ବର୍ଷ ଫେବ୍ରୁଆରି ମାସରୁ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ନିରନ୍ତର ଆଲୋଚନା ଜାରି ରଖିଛନ୍ତି। ଉଭୟ ପକ୍ଷ ଏପର୍ଯ୍ୟନ୍ତ ଅନେକ ପର୍ଯ୍ୟାୟ ଆଲୋଚନା କରିଛନ୍ତି ଏବଂ ଏକ ସନ୍ତୁଳିତ, ପାରସ୍ପରିକ ଲାଭଦାୟକ ଚୁକ୍ତିରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି। ଲୁଟନିକଙ୍କ ମନ୍ତବ୍ୟରେ ଆଲୋଚନା ସମ୍ପର୍କରେ ଦିଆଯାଇଥିବା ତଥ୍ୟ ସତ୍ୟ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କ’ଣ ଥିଲା ଘଟଣା:

ଏପର୍ଯ୍ୟନ୍ତ ଭାରତ–ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ନହେବାରୁ ଭାରତକୁ କିଛି ଆମେରିକୀୟ ଶୁଳ୍କ ବ୍ୟବସ୍ଥା, ଯାହାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ରହିଛି, ସମ୍ମୁଖୀନ ହେବାକୁ ପଡ଼ୁଛି। ଗତ ଗୁରୁବାର ଏକ ପଡକାଷ୍ଟରେ ଲୁଟନିକ କହିଥିଲେ ଯେ ଚୁକ୍ତି ପ୍ରାୟ ସମ୍ପୂର୍ଣ୍ଣ ଥିଲା ଏବଂ କେବଳ ନେତୃତ୍ୱ ସ୍ତରରେ ଆଲୋଚନା ବାକି ଥିଲା। ତେବେ ଭାରତ ପକ୍ଷରୁ ଏହି ଦାବିକୁ ଭ୍ରାନ୍ତ ଓ ଭିତ୍ତିହୀନ ବୋଲି କୁହାଯାଇଛି।