ଜେରୁଜେଲମ୍: ଭାରତ-ଇସ୍ରାଏଲ୍ ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ତାଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ Narendra Modiଙ୍କୁ ଇସ୍ରାଏଲ୍ ସଂସଦର ସର୍ବୋଚ୍ଚ ସମ୍ମାନ ‘ସ୍ପିକର ଅଫ୍ ଦି କ୍ନେସେଟ୍ ମେଡାଲ୍’ ପ୍ରଦାନ କରାଯାଇଛି। ଏହି ଗୌରବ ପାଇବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି।

ଇସ୍ରାଏଲର ସଂସଦ Knessetରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ନିରାପତ୍ତା, କୃଷି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାରେ ତାଙ୍କ ଦୂରଦର୍ଶୀ ନେତୃତ୍ୱକୁ ମନେରଖି ଏହି ବିରଳ ସମ୍ମାନ ଦିଆଯାଇଛି।

କ୍ନେସେଟରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଅକ୍ଟୋବର ୭ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷିତରେ ଇସ୍ରାଏଲ ସହ ଭାରତର ଦୃଢ଼ ସମର୍ଥନ ପୁନରୁଚ୍ଚାରଣ କରିଥିଲେ। ସେ କହିଥିଲେ ଯେ, ଆତଙ୍କବାଦର ଯନ୍ତ୍ରଣାକୁ ଭାରତ ଭଲଭାବେ ବୁଝେ ଏବଂ ଏହି ସଙ୍କଟକାଳୀନ ସମୟରେ ପ୍ରତ୍ୟେକ ଭାରତୀୟ ଇସ୍ରାଏଲ୍ବାସୀଙ୍କ ସହ ଅଛନ୍ତି।

ଆତଙ୍କବାଦକୁ ବିଶ୍ୱସ୍ତରୀୟ ଆପଦ ବୋଲି ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ, “ଯେକୌଣସି ସ୍ଥାନରେ ଆତଙ୍କବାଦ, ସମଗ୍ର ବିଶ୍ୱର ଶାନ୍ତି ପାଇଁ ବିପଦ।” ସେହି ସମୟରେ ଗାଜାରେ ଶାନ୍ତି ପ୍ରୟାସ ପ୍ରତି ଭାରତର ସମର୍ଥନ ଜଣାଇ ସ୍ଥାୟୀ ଓ ନ୍ୟାୟସଙ୍ଗତ ସମାଧାନ ପାଇଁ ଆଲୋଚନାର ପକ୍ଷେ ସ୍ୱର ଉଠାଇଥିଲେ।

ନିଜ ଭାଷଣରେ ସେ ଭାରତର ସାମ୍ପ୍ରଦାୟିକ ସହିଷ୍ଣୁତା ଓ ସମଭାବର ପରମ୍ପରାକୁ ଉଲ୍ଲେଖ କରି କହିଥିଲେ ଯେ, ଶତାବ୍ଦୀ ଧରି ଭାରତରେ ଇହୁଦୀ ସମ୍ପ୍ରଦାୟ ଶାନ୍ତିପୂର୍ଣ୍ଣ ଭାବେ ବାସ କରୁଛନ୍ତି।

ସେ ଏକ ବ୍ୟକ୍ତିଗତ ସଂଯୋଗର କଥା ମଧ୍ୟ ଉଠାଇଥିଲେ। ୧୯୫୦ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ଜନ୍ମ ହୋଇଥିବା ସହ ସେହି ଦିନେ ଭାରତ ଆନୁଷ୍ଠାନିକ ଭାବେ ଇସ୍ରାଏଲକୁ ସ୍ୱୀକୃତି ଦେଇଥିଲା ବୋଲି ସେ କହିଥିଲେ। ଏହାକୁ ସେ ଦୁଇ ଦେଶର ଦୀର୍ଘ ସାଖ୍ୟତାର ପ୍ରତୀକାତ୍ମକ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଥିଲେ।

ବିଶେଷଜ୍ଞମାନଙ୍କ ମତାନୁସାରେ, ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ଗସ୍ତ ଭାରତ-ଇସ୍ରାଏଲ୍ ସମ୍ପର୍କକୁ ଆଗାମୀ ଦିନରେ ନୂଆ ଦିଗ ଦେବାରେ ସହାୟକ ହେବ।