ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କମ୍ପ୍ଲେକ୍ସ ‘ସେବା ତୀର୍ଥ’ ସହ କେନ୍ଦ୍ରୀୟ ସଚିବାଳୟର କର୍ତ୍ତବ୍ୟ ଭବନ–୧ ଓ କର୍ତ୍ତବ୍ୟ ଭବନ–୨ ଉଦ୍ଘାଟନ କରିବେ। ଅପରାହ୍ଣ ୧ଟା ୩୦ ମିନିଟ୍ ସମୟରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟାରେ ସାର୍ବଜନୀନ ସଭାରେ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି। ଏହି ସମସ୍ତ ଭବନ Central Vista ପୁନର୍ବିକାଶ ଯୋଜନାର ଅଂଶ।
ଏହା ପୂର୍ବରୁ ଅପରାହ୍ଣ ୪ଟାରେ South Blockରେ କେନ୍ଦ୍ର କ୍ୟାବିନେଟର ଶେଷ ବେୈଠକ ଅନୁଷ୍ଠିତ ହେବ। ବେୈଠକ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ତୁରନ୍ତ ‘ସେବା ତୀର୍ଥ’କୁ ସ୍ଥାନାନ୍ତରିତ ହେବ। ଏହା ସହିତ ବ୍ରିଟିଶ ଯୁଗରୁ ପ୍ରଶାସନିକ କେନ୍ଦ୍ର ଭାବେ ପରିଚିତ ନର୍ଥ ଓ ସାଉଥ ବ୍ଲକରୁ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକ ସରିଯିବ।
ବର୍ତ୍ତମାନ ସାଉଥ ବ୍ଲକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟ କରୁଛି, ଯେତେବେଳେ ନର୍ଥ ବ୍ଲକରେ ଗୃହ ଓ ଅର୍ଥ ମନ୍ତ୍ରଣାଳୟ ଅବସ୍ଥିତ। ସରକାରଙ୍କ ଯୋଜନା ଅନୁଯାୟୀ ଏହି ଐତିହାସିକ ଭବନଗୁଡ଼ିକୁ ଆଗାମୀ ଦିନରେ ସଂଗ୍ରହାଳୟରେ ପରିଣତ କରାଯିବ।
ନର୍ଥ ଓ ସାଉଥ ବ୍ଲକର ଡିଜାଇନ୍ ପ୍ରସିଦ୍ଧ ସ୍ଥପତି Herbert Baker କରିଥିଲେ, ଯିଏ Edwin Lutyensଙ୍କ ସମସାମୟିକ ଥିଲେ।
‘ସେବା ତୀର୍ଥ’ କମ୍ପ୍ଲେକ୍ସରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ ମଧ୍ୟ ରହିବ। ଏଠାରେ ଡିଜିଟାଲ୍ ଭାବେ ସଂଯୁକ୍ତ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅଭ୍ୟର୍ଥନା କେନ୍ଦ୍ର ଓ ଜନସମ୍ପର୍କ ସୁବିଧା ବିକାଶ କରାଯାଇଛି। ପରିବେଶ ଅନୁକୂଳ ଡିଜାଇନ୍ ସହ କର୍ମଚାରୀ ସୁବିଧାକୁ ଧ୍ୟାନରେ ରଖି ଏହି ଭବନ ନିର୍ମାଣ ହୋଇଥିବା ସରକାରୀ ସୂତ୍ରରୁ କୁହାଯାଇଛି।
ପିଏମଓ ମତାନୁସାରେ, ନୂତନ କମ୍ପ୍ଲେକ୍ସ ଦ୍ୱାରା ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ ଏବଂ ପ୍ରଶାସନ ଅଧିକ ଦକ୍ଷ, ସୁଗମ ଓ ଲୋକକେନ୍ଦ୍ରିକ ହେବ।





