ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ୍ (PNG) ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହିତ ଏହାକୁ ଅଧିକ କଡ଼ା ଭାବରେ ଲାଗୁ କରିବା ପାଇଁ ନୂଆ ନିୟମ ଆଣିଛନ୍ତି। ଏହି ନିୟମ ଅନୁଯାୟୀ, ଯେଉଁ ଘର ପାଖରେ ପିଏନ୍‌ଜି ପାଇପଲାଇନ ଉପଲବ୍ଧ ଅଛି ଓ ସେମାନେ ଏପର୍ଯ୍ୟନ୍ତ ସଂଯୋଗ ନେଇନାହାନ୍ତି, ସେମାନଙ୍କୁ ନୋଟିସ୍ ଦିଆଯିବ। ନୋଟିସ୍ ପାଇବା ପରେ ୯୦ ଦିନ ମଧ୍ୟରେ ପିଏନ୍‌ଜି ସଂଯୋଗ ନ ନେଲେ, ସେମାନଙ୍କର ଏଲ୍‌ପିଜି ସିଲିଣ୍ଡର ଯୋଗାଣ ବନ୍ଦ କରାଯିବ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ଗ୍ୟାସ୍ ଅଭାବକୁ ଦୃଷ୍ଟିରେ ରଖି ସରକାର ‘ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ ଉତ୍ପାଦ ବଣ୍ଟନ ଆଦେଶ-୨୦୨୬’ କାର୍ଯ୍ୟକାରୀ କରିଛନ୍ତି। ଏହା ଅଧୀନରେ ପିଏନ୍‌ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି।

ଏହା ସହିତ ଆବାସିକ ସୋସାଇଟି ଓ ହାଉସିଂ ସଂଘଗୁଡ଼ିକ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। ଯଦି କୌଣସି କମ୍ପାନୀ ପାଇପଲାଇନ ବିଛାଇବା ପାଇଁ ଅନୁମତି ଚାହେ, ସୋସାଇଟିକୁ ୩ ଦିନ ମଧ୍ୟରେ ଅନୁମୋଦନ ଦେବାକୁ ପଡିବ। ବିଳମ୍ବ କିମ୍ବା ଅସ୍ୱୀକାର କରିଲେ ସେଠାରେ ରହୁଥିବା ଘରଗୁଡ଼ିକର ଏଲ୍‌ପିଜି ଯୋଗାଣ ବନ୍ଦ ହେବାର ସମ୍ଭାବନା ରହିଛି।

ସରକାରୀ ବିଭାଗଗୁଡ଼ିକୁ ମଧ୍ୟ ପାଇପଲାଇନ ପ୍ରକଳ୍ପରେ ବିଳମ୍ବ କରିବାରୁ ବର୍ଜିତ କରାଯାଇଛି। ଛୋଟ ପ୍ରକଳ୍ପ ପାଇଁ ୧୦ ଦିନ ଓ ବଡ଼ ପ୍ରକଳ୍ପ ପାଇଁ ୬୦ ଦିନ ମଧ୍ୟରେ ଅନୁମୋଦନ ଦେବାକୁ ହେବ। ନିର୍ଦ୍ଧାରିତ ସମୟରେ ଉତ୍ତର ନ ମିଳିଲେ ଏହାକୁ ସ୍ୱୟଂଚାଳିତ ଅନୁମୋଦନ ବୋଲି ଧରାଯିବ।

ଏହା ସହିତ ଗ୍ୟାସ୍ ପାଇପଲାଇନ ବିଛାଇବା ପାଇଁ ଜମି ମାଲିକଙ୍କୁ ଦୁଇଗୁଣ କ୍ଷତିପୂରଣ ଦେବା ବ୍ୟବସ୍ଥା ମଧ୍ୟ ରହିଛି। ନୂଆ ନିୟମ ଅନୁଯାୟୀ, ଯେଉଁମାନେ ପିଏନ୍‌ଜି ସଂଯୋଗ ନେଇଛନ୍ତି ସେମାନେ ଆଗକୁ ନୂତନ ଏଲ୍‌ପିଜି ସଂଯୋଗ ପାଇବେ ନାହିଁ ଓ ପୁରୁଣା ସିଲିଣ୍ଡର ମଧ୍ୟ ପୁନଃପୂରଣ ହେବ ନାହିଁ।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶରେ ପାଇପ୍ ଗ୍ୟାସ୍ ବ୍ୟବହାର ବୃଦ୍ଧି ପାଇବା ସହିତ ଏଲ୍‌ପିଜି ଉପରେ ନିର୍ଭରଶୀଳତା କମିବାକୁ ଆଶା କରାଯାଉଛି।