ପାଟନା: ବିହାର ବିଧାନସଭା ନିର୍ବାଚନରେ ଜନ ସୂରଜ ପାର୍ଟିର ଶୋଚନୀୟ ପରାଜୟ ପରେ, ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଭାବକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ସାଢ଼େ ତିନି ବର୍ଷ ପୂର୍ବେ ସେମାନେ ବିହାରରେ “ବ୍ୟବସ୍ଥା ପରିବର୍ତ୍ତନ” ନେଇ ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ତାହାର ଲକ୍ଷ ସଫଳ ହୋଇନଥିଲା।

ପିକେ କହିଛନ୍ତି, “ଆମେ ସରକାର ପରିବର୍ତ୍ତନ କରିପାରିଲୁ ନାହିଁ। ବ୍ୟବସ୍ଥାକୁ ମଧ୍ୟ ଯେପରି ଚାହୁଁଥିଲୁ ସେଭଳି ପରିବର୍ତ୍ତନ କରିପାରିଲୁ ନାହିଁ। କିନ୍ତୁ ବିହାରର ରାଜନୀତିକୁ ଆମେ ନିଶ୍ଚିତ ଭାବରେ ପ୍ରଭାବିତ କରିଛୁ।”

“ପରାଜୟର ଦାୟିତ୍ୱ ମୋର” — ପିକେ

ପ୍ରଶାନ୍ତ କିଶୋର ସରଳଭାବେ ଦାୟିତ୍ୱ ନେଇ କହିଛନ୍ତି, “ଲୋକଙ୍କ ବିଶ୍ୱାସ ଜିତିପାରିନଥିବାର ଦାୟିତ୍ୱ ମୁଁ ନେଉଛି। ଏହା ଆମ ସମସ୍ତଙ୍କ ସାମୂହିକ ପରାଜୟ। ଲୋକେ ନିଜର ପଥ ବାଛିଛନ୍ତି।”

ସେ ଏହାକୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, “ଏବେ ନୀତିଶ କୁମାର ଓ ବିଜେପିର ଦାୟିତ୍ୱ ହେଉଛି ବିହାରକୁ ଉନ୍ନୟନର ପଥରେ ଆଣିବା। ବିହାରରୁ ପ୍ରବାସ ରୁକିବା ଉଚିତ୍। ଯଦି ଏହା ହୁଏ, ତେବେ ଆମକୁ ଆଉ ରାଜନୀତିରେ ରହିବା ଆବଶ୍ୟକ ନଥିବ।”

“ଅଭିଯୋଗରୁ ପଛକୁ ହଟିବିନି” — ଦୁର୍ନୀତି ପ୍ରସଙ୍ଗରେ କଠୋର ଭାବ

ପିକେ କହିଛନ୍ତି, “ଆମେ ଯେଉଁ ନେତାମାନଙ୍କ ଉପରେ ଦୁର୍ନୀତିର ଅଭିଯୋଗ କରିଛୁ, ସେଠାରୁ ଆମେ କେବେ ପଛକୁ ହଟିବୁ ନାହିଁ। ସେମାନଙ୍କ ମଧ୍ୟରୁ ଅନେକେ ନିର୍ବାଚନ ଜିତିଛନ୍ତି, କିନ୍ତୁ ଯଦି ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ରଖାଯାଏ, ତେବେ ଆମେ ଆଇନଗତ ଲଢ଼େଇ କରିବାକୁ ଯିବୁ।”

ସେ ସ୍ପଷ୍ଟ କରିଛନ୍ତି, “ମୁଁ କେବେ କୁହିନଥିଲି ଯେ 20 ହଜାର ଦେଇ ଭୋଟ କିଣାଯିବ। କିନ୍ତୁ ମୁଁ ଏହା କହିଥିଲି—25ଟି ଆସନ ଜିତିଲେ ରାଜନୀତି ଛାଡ଼ିଦେବି।”

ନୀତିଶଙ୍କୁ ପିକେଙ୍କ ଚ୍ୟାଲେଞ୍ଜ: “ଛଅ ମାସରେ ଦୁଇ ଲକ୍ଷ ଦେଲେ, ମୁଁ ରାଜନୀତି ଛାଡ଼ିଦେବି”

ସରକାରକୁ ସିଧା ଚ୍ୟାଲେଞ୍ଜ ଛୋଡ଼ି ପିକେ କହିଛନ୍ତି,

“ବିଜେପି ଓ ନୀତିଶ କୁମାର ଏପରି କ୍ୟାବିନେଟ୍ ଗଠନ କରିବା ଉଚିତ୍, ଯେଉଁଥିରେ ଦୁର୍ନୀତିଗ୍ରସ୍ତମାନଙ୍କୁ ସାମିଲ କରାଯିବ ନାହିଁ। ଜନତା ଜନାଦେଶ ଦେଇଛନ୍ତି ଉନ୍ନୟନ ପାଇଁ, ଲୁଟ୍ ପାଇଁ ନୁହେଁ।”

ସେ ଆଉ କହିଛନ୍ତି,

“ଯଦି ନୀତିଶ କୁମାର ଆଗାମୀ 6 ମାସରେ ବିହାରର ଦେଢ଼ କୋଟି ପରିବାରଙ୍କ ଖାତାରେ 2 ଲକ୍ଷ ଟଙ୍କା ଦେଇଦିଅନ୍ତି, ତେବେ ମୁଁ ତୁରନ୍ତ ରାଜନୀତି ଛାଡ଼ିଦେବି। ଯଦି ଏତେ ପରିବାର ଏହା ପାଇପାରିବେ, ବିହାରର ତିବ୍ର ଉନ୍ନୟନ ହେବ।”