ଭୁବନେଶ୍ୱର, ୨୭/୧୧: ଓଡ଼ିଶା ବିଧାନସଭାରେ ଭାଷଣ ଦେଇଥିବା ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ରାଜନୈତିକ ଯାତ୍ରା ସହ ଜଡ଼ିତ ଏହି ଗୃହକୁ ‘ଐତିହାସିକ ଓ ନିଆରା ମୁହୂର୍ତ୍ତ’ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ନିଜର ରାଜନୀତିକ ଆରମ୍ଭ ଏଠାରୁ ହୋଇଥିବାରୁ ବିଧାନସଭାରେ ଉପସ୍ଥିତ ହେବା ତାଙ୍କ ପାଇଁ ବିଶେଷ ଅନୁଭବ।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, “ଆଜି ମୁଁ ଯେଉଁଠାରେ ଅଛି, ତାହାର ପ୍ରାଥମିକ ଶ୍ରେୟ ଏହି ବିଧାନସଭାର। ମହାପ୍ରଭୁ ଜଗନ୍ନାଥଙ୍କ କୃପା ନ ଥାଇଥାନ୍ତା, ଆଜି ଏଠାରେ ମୁଁ ନ ଥାନ୍ତି।” ସେ ଉଲ୍ଲେଖ କରିଛନ୍ତି ଯେ, ବିଧାୟିକା ଭାବେ ପ୍ରଶ୍ନ ପଚାରିବାରୁ ଆରମ୍ଭ କରି ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେବା ପର୍ଯ୍ୟନ୍ତର ଯାତ୍ରାର ସାକ୍ଷୀ ଏହି ଗୃହ।
୨୦୦୦ ମସିହାରେ ନିର୍ବାଚିତ ହୋଇଥିବା ପୁରୁଣା ସହଯାତ୍ରୀମାନଙ୍କୁ ସ୍ମରଣ କରି ସେ କହିଛନ୍ତି, “ଧର୍ମେନ୍ଦ୍ର, ମୋହନ ଆଉ ମୁଁ ୨୦୦୦ରେ ଏକାଠି ଆସିଥିଲୁ।” ସମାବେଶରେ ଉପସ୍ଥିତ ପୂର୍ବତନ ବିଧାୟକମାନଙ୍କୁ ଦେଖି ରାଷ୍ଟ୍ରପତି ଆବେଗାପ୍ଲୁତ ହୋଇଥିଲେ।
ସେ ଓଡ଼ିଶାର ଗୌରବମୟ ଇତିହାସ ସ୍ମରଣ କରାଇ ମହତାବ, ବିଜୁ ପଟ୍ଟନାୟକ ଭଳି ପ୍ରବର୍ତ୍ତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ସମସ୍ତ ସମ୍ବଳ ଥିବା ଓଡ଼ିଶାକୁ ଅଗ୍ରଣୀ ପ୍ରଦେଶ ଭାବେ ଗଢ଼ି ତୁଳିବା ସମ୍ଭବ।
୨୦୩୬ ମସିହାରେ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ବିଧାୟକମାନଙ୍କୁ ଜୀବନର ବ୍ରତ ଭାବେ ଓଡ଼ିଶାର ପ୍ରଗତିକୁ ଗ୍ରହଣ କରିବାର ଆହ୍ୱାନ ଦେଇ ସେ କହିଛନ୍ତି–
“ପ୍ରଜାମାନେ ବହୁତ ଆଶା ନେଇ ଆପଣମାନଙ୍କୁ ପଠାଇଛନ୍ତି; ସେମାନଙ୍କ ମୁହଁରେ ହସ ଫୁଟାଇବା ହେଉଛି ଆପଣଙ୍କ ପ୍ରଥମ କର୍ତ୍ତବ୍ୟ।”
ଗୃହର ମର୍ଯ୍ୟାଦା ଓ ନୀତି ସୁରକ୍ଷା ପାଇଁ ସେ ବିଧାୟକମାନଙ୍କୁ ଉଚିତ ଉଚ୍ଚାରଣ ଓ ଆଚରଣ ରଖିବାକୁ ଉପଦେଶ ଦେଇଥିଲେ। ଏହା ସହିତ, ଓଡ଼ିଶା ବିଧାନସଭାରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି ଓ ଜଣେ ମହିଳା ବାଚସ୍ପତି ଗୃହ ଚଳାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ।





