ନୂଆଦିଲ୍ଲୀ, ୧୫।୧୨:
ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦଳ ‘ଜନ ସୁରାଜ’ର ଦୁର୍ବଳ ପ୍ରଦର୍ଶନ ପରେ ଏବେ ଏକ ନୂଆ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁଯାୟୀ, କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତ ସପ୍ତାହରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ପ୍ରଶାନ୍ତ କିଶୋର (ପିକେ)ଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ଦାବି କରାଯାଉଛି।
ନିର୍ବାଚନ ଫଳାଫଳ ଅନୁଯାୟୀ, ବିହାରରେ କଂଗ୍ରେସ ୬୧ଟି ଆସନରୁ କେବଳ ୬ଟି ସିଟ୍ରେ ଜୟଲାଭ କରିଥିବାବେଳେ, ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରାଜ’ ୨୩୮ଟି ଆସନରେ ପ୍ରତିଦ୍ୱନ୍ଦିତା କରି ଗୋଟିଏ ସିଟ୍ ମଧ୍ୟ ଜିତିପାରିନଥିଲା। ଏହି ପରାଜୟ ପରେ ଉଭୟଙ୍କ ଭେଟଘାଟ ଖବର ଆସିବା କଂଗ୍ରେସ ଓ ପିକେଙ୍କ ମଧ୍ୟରେ ପୁଣିଥରେ ସମ୍ଭାବ୍ୟ ସହଯୋଗକୁ ନେଇ ଚର୍ଚ୍ଚାକୁ ତୀବ୍ର କରିଛି।
ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, କଂଗ୍ରେସ ବର୍ତ୍ତମାନ ନିର୍ବାଚନୀ ରଣନୀତିରେ ଦୁର୍ବଳ ପଡ଼ୁଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ପାଖରେ ବିଭିନ୍ନ ରାଜ୍ୟରେ ଦଳକୁ ବିଜୟ ଦେବାର ଅଭିଜ୍ଞତା ରହିଛି, ଯାହା ଏହି ଭେଟଘାଟକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି।
ଏହି ସାକ୍ଷାତ ବିଷୟରେ ପ୍ରଶ୍ନ କରାଯାଉଥିବାବେଳେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, “ମୁଁ କାହାକୁ ଭେଟୁଛି କିମ୍ବା କାହାକୁ ନାହିଁ, ସେଥିରେ କାହାର ଆଗ୍ରହ ଥିବା ଉଚିତ୍ ନୁହେଁ।” ଅନ୍ୟପଟେ, ପ୍ରଶାନ୍ତ କିଶୋର ଏପରି କୌଣସି ଭେଟଘାଟକୁ ସଂପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ଏପ୍ରିଲ ମାସରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ସମ୍ଭାବନା ନେଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ସେ ସମୟରେ ପ୍ରିୟଙ୍କା ତାଙ୍କୁ ଅଧିକ ସ୍ୱାଧୀନତା ଦେବା ପକ୍ଷରେ ଥିଲେ, କିନ୍ତୁ କଂଗ୍ରେସର କିଛି ବରିଷ୍ଠ ନେତା ଓ ରାହୁଲ ଗାନ୍ଧୀ ପିକେଙ୍କ ସର୍ତ୍ତକୁ ମନ୍ଜୁର କରିନଥିଲେ। ଫଳସ୍ୱରୂପ, ପ୍ରଶାନ୍ତ କିଶୋର ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।
ସୂତ୍ର ମତାନୁସାରେ, ବିହାରରେ ଖରାପ ପ୍ରଦର୍ଶନ ପରେ ଉଭୟ ପକ୍ଷ ୨୦୨୬ରେ ତାମିଲନାଡୁ, ପଶ୍ଚିମବଙ୍ଗ ଓ ଆସାମ ଏବଂ ୨୦୨୭ର ଉତ୍ତରପ୍ରଦେଶ ନିର୍ବାଚନକୁ ନଜରରେ ରଖି ପୁଣିଥରେ ସମ୍ପର୍କ ପୁନର୍ବିଚାର କରିପାରନ୍ତି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଭେଟଘାଟକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।





