ଭୁବନେଶ୍ୱର/ଚଣ୍ଡିଗଡ଼: ଲାଞ୍ଚ ନେବା ଅଭିଯୋଗରେ ପଞ୍ଜାବ ଡିଆଇଜି ହରଚରଣ ଭୁଲ୍ଲର ଗିରଫ ହେବା ପରେ ରାଜ୍ୟ ପୁଲିସ ବୃତ୍ତରେ ଚାଞ୍ଚଳ୍ୟ ସୃଷ୍ଟି ହୋଇଛି। ସିବିଆଇ ତାଙ୍କୁ ୫ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ହାତେନାତେ ଧରିଥିଲା।
ଗିରଫ ପରେ ତଦନ୍ତ ଦଳ ତାଙ୍କ ଘର ଏବଂ ବିଭିନ୍ନ ସମ୍ପତ୍ତିରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ସହ ଅଧେଇ କିଲୋ ସୁନା ଜବତ କରିଛି। ଏହା ସହିତ ଅନେକ ଅବୈଧ ଡକ୍ୟୁମେଣ୍ଟ ମଧ୍ୟ ମିଳିଥିବା ସୂଚନା ମିଳିଛି।
ଏହି ଘଟଣା ପରେ ପଞ୍ଜାବ ସରକାର ଡିଆଇଜି ଭୁଲ୍ଲରଙ୍କୁ ତୁରନ୍ତ ନିଲମ୍ବନ କରିଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ସ୍ପଷ୍ଟ କରିଛନ୍ତି ଯେ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିରେ ଅବିଚଳିତ ଅଛନ୍ତି ଏବଂ ଦୋଷୀ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ।
ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି, “ଦୁର୍ନୀତିମୁକ୍ତ ଶାସନ ଆମ ସରକାରର ମୂଳ ମନ୍ତ୍ର। ଗତ ଚାରି ବର୍ଷ ଧରି ଆମେ ଏହି ନୀତିକୁ କଠୋରତାର ସହିତ ଅନୁସରଣ କରୁଛୁ ଏବଂ ଯେକୋଣସି ଦୋଷୀଙ୍କୁ ଦୟା ଦେଖାଯିବ ନାହିଁ।”





