ଚଣ୍ଡିଗଡ଼: ପଞ୍ଜାବରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ସତଲେଜ, ବ୍ୟାସ ଓ ରାବି ନଦୀ ଫୁଲିଥିବାରୁ ଗୁରୁଦାସପୁର, ଅମୃତସର, ହୋସିଆରପୁର, ଲୁଧିଆନା, ମାନସା ସହିତ ଅନେକ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ତିଆରି ହୋଇଛି ।

ରାଜ୍ୟର ୧୩୦୦ ଗାଁ ପାଣି ଘେରରେ ରହିଛି । ବନ୍ୟାରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାୟ ଅଢେଇ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୧୪ ହଜାରରୁ ଅଧିକ ଲୋକଙ୍କୁ ଏନଡିଆରଏଫ, ବିଏସଏଫ ଓ ସେନାବାହିନୀ ଉଦ୍ଧାର କରିଛନ୍ତି । ୧୨୨ଟି ରିଲିଫ କ୍ୟାମ୍ପରେ ୬,୫୮୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।

ଡ୍ରୋନ ସାହାଯ୍ୟରେ ପାଣିରେ ଅଟକିଥିବା ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଓ ପାଉଡର କ୍ଷୀର ବଣ୍ଟନ କରାଯାଉଛି । ଅମୃତସରରେ ୩୫ ହଜାର, ଫିରୋଜପୁରରେ ୨୪ ହଜାରରୁ ଅଧିକ ଓ ପଠାନକୋଟରେ ୧୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବନ୍ୟା ପାଣି ପାଇଁ ୯୬,୦୬୧ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ସେତୁ ଭାଙ୍ଗିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ମୁଖ୍ୟମନ୍ତ୍ରୀ ଭଗବତ୍‌ ମାନ ସହ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି । କେନ୍ଦ୍ର ସରକାର ସବୁପ୍ରକାର ସହାୟତା ଦେବା ପ୍ରତିଶ୍ରୁତି ଦେଇଛି ।

ବଲିଉଡ୍ ଅଭିନେତା ସୋନୁ ସୁଦ, ଦିଲଜିତ୍‌ ଦୋସାଞ୍ଝ ଓ ଗାୟକ ଗୁରୁ ରନ୍ଧାୱାଙ୍କ ଟିମ୍‌ମାନେ ବନ୍ୟାପ୍ରଭାବିତଙ୍କ ସାହାଯ୍ୟରେ ଆଗକୁ ଆସିଛନ୍ତି ।