ନୂଆଦିଲ୍ଲୀ: Raghav Chadha ଶୁକ୍ରବାର ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜ ଦଳ Aam Aadmi Party (ଆପ୍) ଉପରେ ପରୋକ୍ଷ ଭାବେ କଟାକ୍ଷ କରିଥିବାରୁ ଦଳ ଭିତରେ ମତଭେଦ ଆଲୋଚନାକୁ ଆହୁରି ଜୋରଦାର କରିଛି। ରାଜ୍ୟସଭାରେ ଉପନେତା ପଦରୁ ବହିଷ୍କୃତ ହେବାର ଏକ ଦିନ ପରେ ଚଢାଙ୍କ ଏହି ପ୍ରତିକ୍ରିୟା ଆସିଛି।
ଭିଡିଓରେ ସେ କହିଛନ୍ତି, “ମୁଁ ଚୁପ୍ ଅଛି, କିନ୍ତୁ ହାରିଯାଇ ନାହିଁ।” ସେ ଅଭିଯୋଗ କରିଛନ୍ତି ଯେ, ସଂସଦରେ ତାଙ୍କୁ କହିବାରୁ ବଞ୍ଚିତ କରିବା ପାଇଁ ଏହା ଏକ ଚେଷ୍ଟା। ଲୋକଙ୍କ ପ୍ରସଙ୍ଗ ଉଠାଇବାକୁ ସେ କେବେ ଛାଡ଼ିବେ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।
ଚଢା କହିଛନ୍ତି ଯେ, ସେ ସବୁବେଳେ ସାଧାରଣ ଲୋକଙ୍କ ସମସ୍ୟା—ଯଥା ବିମାନବନ୍ଦରରେ ମହଙ୍ଗା ଖାଦ୍ୟ, ଗିଗ୍ କର୍ମଚାରୀଙ୍କ ସମସ୍ୟା, ଟୋଲ୍ ପ୍ଲାଜା, ବ୍ୟାଙ୍କ ଲୁଟ୍ ଓ ଖାଦ୍ୟ ଅପମିଶ୍ରଣ—ପରି ବିଷୟ ଉଠାଇଥାନ୍ତି। “ଏହି ସବୁ ପ୍ରସଙ୍ଗ ଉଠାଇବା ଅପରାଧ କି?” ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହା ପୂର୍ବରୁ ଆପ୍ ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ଚଢାଙ୍କୁ ଉପନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଅଶୋକ ମିତ୍ତଲଙ୍କୁ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଥିଲା।
Arvind Kejriwalଙ୍କ ନିକଟତମ ସହଯୋଗୀ ଭାବେ ପରିଚିତ ଚଢାଙ୍କ ଦଳ ଭିତରେ ଏଭଳି ପରିସ୍ଥିତି ଉଦ୍ଭବ ହେବା ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପକ୍ଷରେ ଆପ୍ ନେତୃତ୍ୱ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳର ନେତାମାନେ କହିଛନ୍ତି ଯେ, ସମସ୍ତ ସାଂସଦଙ୍କୁ ସଂସଦରେ କହିବା ପାଇଁ ସମୟ ଦିଆଯାଏ ଏବଂ ଏହା ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଭବିଷ୍ୟତରେ ମଧ୍ୟ ଚଢାଙ୍କୁ ସୁଯୋଗ ମିଳିବ ବୋଲି ସେମାନେ କହିଛନ୍ତି।
ଚଢାଙ୍କ ଦୀର୍ଘ ନୀରବତା ଏବଂ ଦଳୀୟ କାର୍ଯ୍ୟକ୍ରମରୁ ଦୂରତା ଏହି ଘଟଣାକୁ ଆହୁରି ଗୁରୁତ୍ୱ ଦେଇଛି। ଏହା ପରେ ଆପ୍ରେ ଆଭ୍ୟନ୍ତରୀଣ ଫାଟ୍ ନେଇ ଆଲୋଚନା ବଢ଼ିଛି।





