ନୂଆଦିଲ୍ଲୀ: ବଲିଉଡର ହାସ୍ୟ ଅଭିନେତା Rajpal Yadavଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ରାଜପାଲଙ୍କୁ ସୋମବାର Delhi High Courtରୁ ଜାମିନ୍ ମିଳିଛି। ହାଇକୋର୍ଟ ୧୮ ମାର୍ଚ୍ଚରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି।
କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଉକ୍ତ ତାରିଖରେ ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କଲ୍ ମାଧ୍ୟମରେ ଉପସ୍ଥିତ ରହିବେ। ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କୁ ଏହି ଜାମିନ୍ ଦିଆଯାଇଛି। ଏହା ପାଇଁ ରାଜପାଲଙ୍କୁ ପ୍ରତିବାଦୀଙ୍କ ଆକାଉଣ୍ଟରେ ୧ କୋଟି ୫୦ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିଛି।
୯ କୋଟିକୁ ବଢ଼ିଥିଲା ବକେୟା
୫୪ ବର୍ଷୀୟ ରାଜପାଲ ୨୦୧୨ ମସିହାରେ ‘ଆତା ପତା ଲାପତା’ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏମ୍/ଏସ୍ ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ ଲିମିଟେଡରୁ ୫ କୋଟି ଟଙ୍କା ଋଣ ନେଇଥିଲେ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିଫଳ ହେବା ପରେ ସେ ଆର୍ଥିକ ସମସ୍ୟାରେ ପଡ଼ିଥିଲେ। ପରେ ଚେକ୍ ବାଉନ୍ସ, ସୁଧ ଓ ଜରିମାନା ଯୋଗୁଁ ବକେୟା ପରିମାଣ ପ୍ରାୟ ୯ କୋଟି ଟଙ୍କାକୁ ବଢ଼ିଯାଇଥିଲା।
ବାରମ୍ବାର ପ୍ରତିଶ୍ରୁତି ଉଲ୍ଲଂଘନ ପରେ Delhi High Court ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଫେବ୍ରୁଆରି ୫ରେ ସେ ତିହାର ଜେଲରେ ଆତ୍ମସମର୍ପଣ କରି ଛଅ ମାସର ଦଣ୍ଡାଦେଶ ଭୋଗ କରୁଥିଲେ।
ବଲିଉଡରୁ ସହାୟତା
ଜେଲ ହେବା ପରେ ବଲିଉଡର ଅଭିନେତାମାନେ—Salman Khan, Ajay Devgn, David Dhawan ଓ Sonu Sood—ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିବା ସୂଚନା ମିଳିଛି। ଏହି ପ୍ରତିକୂଳ ସମୟରେ ସହଯୋଗ କରିଥିବାରୁ ରାଜପାଲଙ୍କ ପତ୍ନୀ ରାଧା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।





