ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ମୁଦ୍ରାନୀତି କମିଟିର ତିନିଦିନିଆ ବୈଠକ ପରେ ନୂତନ ମୁଦ୍ରାନୀତି ସମୀକ୍ଷା ଘୋଷଣା କରିଛି। ଏଥର କମିଟି ରେପୋ ରେଟ୍କୁ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରିଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ କହିବା ଅନୁଯାୟୀ, ରେପୋ ହାର ୫.୨୫ ପ୍ରତିଶତରେ ଅବିଚଳ ରହିବ।
ବୈଠକରେ ଦେଶର ଅର୍ଥନୈତିକ ପରିସ୍ଥିତି, ମୁଦ୍ରାସ୍ଫୀତିର ଧାରା ଓ ଆର୍ଥିକ ସ୍ଥିରତା ସମ୍ବନ୍ଧୀୟ ତଥ୍ୟ ବିଚାର କରାଯାଇଥିଲା। ବର୍ତ୍ତମାନ ଅର୍ଥନୀତି ସନ୍ତୋଷଜନକ ଗତିରେ ଆଗକୁ ବଢ଼ୁଥିବା ସହ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସୁଧ ହାରରେ ପରିବର୍ତ୍ତନ ଆଣାଯାଇନାହିଁ। ଏମ୍ପିସି ସଦସ୍ୟମାନେ ମଧ୍ୟ ଏହି ମତକୁ ସମର୍ଥନ କରିଥିଲେ। ଚଳିତ ଆର୍ଥିକ ବର୍ଷର ଏହା ଶେଷ ମୁଦ୍ରାନୀତି ବୈଠକ ଥିଲା।
ସୂଚନାଯୋଗ୍ୟ, ୨୦୨୫ ଫେବ୍ରୁଆରିରୁ ଆର୍ବିଆଇ ପର୍ଯ୍ୟାୟକ୍ରମେ ରେପୋ ହାରରେ ମୋଟ ୧.୨୫ ପ୍ରତିଶତ କମି କରିଥିଲା। ଶେଷଥର ଡିସେମ୍ବର ୨୦୨୫ରେ ସୁଧ ହାର କମାଯାଇଥିଲା। ବର୍ତ୍ତମାନ ମୁଦ୍ରାସ୍ଫୀତି ଲକ୍ଷ୍ୟ ସୀମା ମଧ୍ୟରେ ଥିବାରୁ ଆଉ କମିବାର ଆବଶ୍ୟକତା ନଥିବା ଗଭର୍ଣ୍ଣର କହିଛନ୍ତି। ମୁଦ୍ରାସ୍ଫୀତି ଓ ବୃଦ୍ଧି ହାରକୁ ଧ୍ୟାନରେ ରଖି ଆର୍ବିଆଇ ରେପୋ ସହ ଅନ୍ୟାନ୍ୟ ନୀତିଗତ ସୁଧ ହାର ନିର୍ଦ୍ଧାରଣ କରିଥାଏ।





