ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ‘ଭାରତ ଗାଥା: ଶ୍ରୁତି, କୃତି, ଦୃଷ୍ଟି’ ଭାରତର ଶତାବ୍ଦୀ ପୁରୁଣା କାହାଣୀ କହିବା ପରମ୍ପରାକୁ ଦୃଶ୍ୟମାନ କରିବ। ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହେବାକୁ ଯାଉଥିବା ଏହି ମେଢ଼ ଭାରତର ସଭ୍ୟତା ଯାତ୍ରାର ଏକ ପ୍ରଭାବଶାଳୀ ଚିତ୍ର ଉପସ୍ଥାପନ କରିବ।
ପ୍ରାଚୀନ ମୌଖିକ ପରମ୍ପରାରୁ ଆରମ୍ଭ କରି ଆଜିର ବିଶ୍ୱ ମାନ୍ୟତାପ୍ରାପ୍ତ କଣ୍ଟେଣ୍ଟ ଓ ମିଡିଆ ମହାଶକ୍ତି ଭାବେ ଭାରତର ଉଦୟ ପର୍ଯ୍ୟନ୍ତର ଯାତ୍ରାକୁ ଏହି ମେଢ଼ ଦୃଶ୍ୟରେ ଆଣିବ। ଏହା ଆତ୍ମନିର୍ଭର ଭାରତର ଆତ୍ମାକୁ ପ୍ରତିବିମ୍ବିତ କରି ସାଂସ୍କୃତିକ ଐତିହ୍ୟ ସହ ପ୍ରଯୁକ୍ତିଗତ ନବସୃଜନର ସମନ୍ୱୟକୁ ଦେଖାଇବ।
‘ଶ୍ରୁତି’ ଅଂଶରେ ଭାରତର ସମୃଦ୍ଧ ମୌଖିକ ପରମ୍ପରାକୁ ଦର୍ଶାଇବା ପାଇଁ ବରଗଛ ତଳେ ଗୁରୁ ଓ ଶିଷ୍ୟମାନଙ୍କ ଦୃଶ୍ୟ ଉପସ୍ଥାପିତ ହେବ। ଏଥିରେ ଓମ୍ର ମହାଜାଗତିକ ଅର୍ଥବୋଧ ଓ ଜ୍ଞାନର ଉତ୍ସକୁ ପ୍ରତୀକ କରୁଥିବା ଶବ୍ଦ-ତରଙ୍ଗ ଆକୃତି ମଧ୍ୟ ସାମିଲ ରହିବ।
‘କୃତି’ ଅଂଶରେ ଲିଖିତ ଅଭିବ୍ୟକ୍ତିର ବିକାଶକୁ ଉପସ୍ଥାପନ କରାଯିବ, ଯେଉଁଠାରେ ଭଗବାନ ଗଣେଶଙ୍କ ଦ୍ୱାରା ମହାଭାରତ ଲେଖନ, ପାଣ୍ଡୁଲିପି, ପ୍ରଦର୍ଶନ କଳା ଓ ପ୍ରାରମ୍ଭିକ ଯୋଗାଯୋଗ ପରମ୍ପରାର ଦୃଶ୍ୟ ଦେଖାଯିବ। ଏହା ଭାରତର ବୌଦ୍ଧିକ ଐତିହ୍ୟକୁ ଆଲୋକିତ କରିବ।
‘ଦୃଷ୍ଟି’ ଅଂଶରେ ପ୍ରିଣ୍ଟ, ସିନେମା, ଟେଲିଭିଜନ ଓ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଭାରତୀୟ ଗଣମାଧ୍ୟମର ବିକାଶକୁ ଦର୍ଶାଯିବ। ଭିଣ୍ଟେଜ୍ କ୍ୟାମେରା, ଫିଲ୍ମ ରିଲ୍, ସାଟେଲାଇଟ୍, ଖବରକାଗଜ ଓ ବକ୍ସ ଅଫିସ୍ ଭଳି ଦୃଶ୍ୟ ଉପାଦାନଗୁଡ଼ିକ ଭିନ୍ନ ପିଢ଼ିର କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ।
ସେହିପରି, ଏଆଇ, ଏଭିଜିସି-ଏକ୍ସଆର ଓ ଭର୍ଚୁଆଲ୍ ପ୍ରଡକ୍ସନ୍ ପ୍ରଯୁକ୍ତି ମାଧ୍ୟମରେ ଭବିଷ୍ୟତର କାହାଣୀ କହିବା ପ୍ରଣାଳୀକୁ ମଧ୍ୟ ଏହି ପ୍ରଜ୍ଞାପନ ମେଢ଼ ଉଜାଗର କରିବ। କଳାକାରମାନଙ୍କ ସଜିବ ଉପସ୍ଥିତି ଏହି ମେଢ଼କୁ ଆହୁରି ଜୀବନ୍ତ କରିବ।





