ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ଚଞ୍ଚଳକର ଘଟଣା ସାମ୍ନାକୁ ଆସିଛି। ଜଣେ IAS ଅଧିକାରୀଙ୍କ ଭଡାକୁ ଦିଆଯାଇଥିବା ଘରରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୋଲିସ ଚଢାଉ କରି ୪ ଜଣ ମହିଳା ଓ ୫ ଜଣ ପୁରୁଷଙ୍କୁ ଆପତ୍ତିଜନକ ସ୍ଥିତିରେ ଗିରଫ କରିଛି। ଏହି ଘଟଣା ଅଞ୍ଚଳରେ ଭାରି ଆଲୋଡ଼ନ ସୃଷ୍ଟି କରିଛି।
ପୋଲିସ ସୂଚନା ଅନୁଯାୟୀ, କୀଟଗଞ୍ଜ ଥାନା ଅଧୀନ ଖଲାସି ଲାଇନ ଅଞ୍ଚଳର ଘର ନମ୍ବର ୫୧୪ରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ମିଳିଥିଲା। ଏସିପି ରାଜୀବ ଯାଦବଙ୍କ ନେତୃତ୍ୱରେ ଗୁପ୍ତ ତଦନ୍ତ ପରେ ଅଭିଯୋଗ ସତ୍ୟ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପରେ କୀଟଗଞ୍ଜ ଥାନା ଅଧିକାରୀ ବୀରେନ୍ଦ୍ର ସିଂହ ଓ ତାଙ୍କ ଟିମ୍ ଘରେ ଚଢାଉ କରିଥିଲେ।
ତଦନ୍ତରେ ଜଣାପଡ଼ିଛି ଯେ ଘରଟି ଜଣେ IAS ଅଧିକାରୀଙ୍କର ହେଲେ ମଧ୍ୟ, ସେ ଏହାକୁ ମାସିକ ୧୫ ହଜାର ଟଙ୍କାରେ ଭଡା ଦେଇଥିଲେ। ଭଡା ନେଇଥିବା ବ୍ୟକ୍ତି ଏହି ଘରକୁ ସେକ୍ସ ରାକେଟ ଚଳାଇବାରେ ବ୍ୟବହାର କରୁଥିବା ଖୋଲାସା ହୋଇଛି।
ପୋଲିସ ମତାନୁସାରେ, ଏହି ରାକେଟର ମୁଖ୍ୟ ସଂଚାଳକ ହେଉଛି ଦରିଆବାଦର ବାସିନ୍ଦା ସର୍ବେଶ ଦ୍ୱିବେଦୀ। ସେ କୀଟଗଞ୍ଜରେ ଘର ଭଡା ନେଇ ୪ ଜଣ ମହିଳାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ରହିଛି। ଗିରଫ ହୋଇଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ପ୍ରୟାଗରାଜ, ଜଣେ ବାରାଣସୀ ଓ ଦୁଇଜଣ ପଶ୍ଚିମବଙ୍ଗର ବୋଲି ପୋଲିସ କହିଛି।
ଘଟଣା ସମ୍ପର୍କରେ ପୋଲିସ ଆହୁରି ତଦନ୍ତ ଜାରି ରଖିଛି ଏବଂ ଏହି ରାକେଟ ସହ ଅନ୍ୟ କେହି ଜଡିତ କି ନାହିଁ, ସେନେଇ ଖୋଜଖବର ଚାଲିଛି।





