ମୁମ୍ବାଇ: ୨୦୨୬ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (IPL) ଆରମ୍ଭକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ, ଖେଳାଳି କ୍ରୟକୁ ନେଇ କୋଲକାତା ନାଇଟ୍‌ ରାଇଡର୍ସ (KKR) ଏବେ ଭାରି ବିବାଦରେ ପଡ଼ିଛି। ଦଳ ପକ୍ଷରୁ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣାଯିବା ପରେ ସୋସିଆଲ ମିଡିଆ ସହ ବିଭିନ୍ନ ରାଜନୈତିକ ଓ ସାମାଜିକ ମହଳରୁ କଠୋର ପ୍ରତିକ୍ରିୟା ଆସୁଛି। ଏହି ଘଟଣାକୁ ନେଇ କେକେଆର ମାଲିକ ତଥା ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ସିଧାସଳଖ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।

ସମାଲୋଚକମାନଙ୍କ ଅଭିଯୋଗ ଅନୁଯାୟୀ, ବାଂଲାଦେଶରେ ହିନ୍ଦୁ ସମୁଦାୟ ଉପରେ ହେଉଥିବା ହିଂସା ଓ ଅତ୍ୟାଚାରର ପରିପ୍ରେକ୍ଷିତରେ ଏପରି ଏକ ନିଷ୍ପତ୍ତି ଦେଶବାସୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ଏହି କାରଣରୁ ଶାହରୁଖ ଖାନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି।

ଅଖଡ଼ା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଶାହରୁଖ ଖାନ ଯେ ସମ୍ମାନ ଓ ପରିଚୟ ପାଇଛନ୍ତି, ତାହା ଭାରତ ଓ ଭାରତୀୟ ଲୋକଙ୍କ ଦେଇଥିବା ଭଲପାଇବାର ଫଳ। ସେହିପରିସ୍ଥିତିରେ ଦେଶବାସୀଙ୍କ ଭାବନା ଓ ଜାତୀୟ ସ୍ୱାର୍ଥକୁ ସମ୍ମାନ ଦେବା ତାଙ୍କର ଦାୟିତ୍ୱ। ଏହି ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

ଏହି ମାମଲାରେ ଶିବସେନା (UBT) ମଧ୍ୟ କଡ଼ା ମନ୍ତବ୍ୟ ରଖିଛି। ଦଳର ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ, ଯଦି ବାଂଲାଦେଶୀ ଖେଳାଳିଙ୍କୁ IPLରେ ଖେଳିବାକୁ ଅନୁମତି ଦିଆଯାଏ, ତେବେ ଦଳ ପକ୍ଷରୁ ପ୍ରତିବାଦ କରାଯିବ। ତାଙ୍କ କଥା ଅନୁଯାୟୀ, ଶାହରୁଖ ଖାନ ଯଦି ଏହି ନିଷ୍ପତ୍ତିରୁ ପଛୁଆନ୍ତି, ତେବେ ତାଙ୍କୁ ସମ୍ମାନ ଦିଆଯିବ; ନଚେତ୍‌ ଦଳ କଠୋର ଆନ୍ଦୋଳନରେ ଯିବ।

ବାଂଲାଦେଶୀ କ୍ରିକେଟର କ୍ରୟକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଆଗାମୀ ଦିନରେ IPL ରାଜନୀତି ଓ କ୍ରିକେଟ ମହଳରେ ଆହୁରି ଗରମାଗରମ ହେବ ବୋଲି ଅନୁମାନ କରାଯାଉଛି।