ମୁମ୍ବାଇ, ୩୧।୧: ଦିବଂଗତ ଏନ୍ସିପି (ଅଜିତ ଗୋଷ୍ଠୀ) ନେତା ଓ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ନିଧନ ପରେ ତାଙ୍କ ସ୍ତ୍ରୀ ସୁନେତ୍ରା ପାୱାର ଆଜି ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ। ତେବେ ଏହି ଅବସରରେ ବରିଷ୍ଠ ନେତା ଶରଦ ପାୱାର ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସେ ବର୍ତ୍ତମାନ ବାରାମତିରେ ରହୁଥିବା ସୂଚନା ମିଳିଛି।
ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନ୍ସିପି (ଅଜିତ ଗୋଷ୍ଠୀ) ପକ୍ଷରୁ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଜୋରଦାର ଦାବି ହୋଇଥିଲା। ଶୁକ୍ରବାର ଦଳର ବରିଷ୍ଠ ନେତା ଛଗନ୍ ଭୁଜବଳ, ପ୍ରଫୁଲ ପଟେଲ ଓ ସୁନୀଲ ତଟକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କୁ ତାଙ୍କ ନିବାସସ୍ଥାନରେ ଭେଟି ଏହି ଦାବି ଜଣାଇଥିଲେ।
ସେମାନେ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେବାକୁ ମଧ୍ୟ ପ୍ରସ୍ତାବ ରଖିଥିଲେ। ପୂର୍ବରୁ ଅଜିତ ପାୱାର ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସହ ତାଙ୍କ ନିକଟରେ ଅର୍ଥ, ଅବକାରୀ ଓ କ୍ରୀଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା। ସେହି ଅନୁସାରେ ସୁନେତ୍ରାଙ୍କୁ ମଧ୍ୟ ସମାନ ଦାୟିତ୍ୱ ଦିଆଯିବାକୁ ଦଳ ନେତାମାନେ ଆଶା ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ କହିଥିଲେ ଯେ, ସୁନେତ୍ରାଙ୍କୁ ନେଇ ଦଳ ଯେଉଁ ନିଷ୍ପତ୍ତି ନେବ, ସରକାର ସେଥିପାଇଁ ସମ୍ମାନ ଜଣାଇବ।
ଅନ୍ୟପଟେ ଏନ୍ସିପିର ଦୁଇ ଗୋଷ୍ଠୀର ସମ୍ମିଳନ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି। ପୂର୍ବରୁ ଦଳୀୟ ଏକତା ପାଇଁ ଅଜିତ ପାୱାର ପଦକ୍ଷେପ ନେଇଥିଲେ ଏବଂ ଏହା ନେଇ ଶରଦ ପାୱାରଙ୍କ ସହ ଦୁଇଥର ବୈଠକ କରିଥିବା ଜଣାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଦୁଇ ଗୋଷ୍ଠୀର ନେତାମାନେ ଏକତା ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଆସନ୍ତା ଫେବୃଆରୀ ମଧ୍ୟଭାଗରେ ଏନେଇ ଘୋଷଣା ହେବା ସମ୍ଭାବନା ରହିଛି।





