ନୂଆଦିଲ୍ଲୀ:
ନିର୍ବାଚନ କମିସନ ମଙ୍ଗଳବାର ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ ସହିତ ଲକ୍ଷଦ୍ୱୀପ ଓ ପୁଡୁଚେରୀ ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଅନୁସାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ମୃତ୍ୟୁ, ସ୍ଥାନାନ୍ତର, ଡୁପ୍ଲିକେଟ୍ ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ଏହି ସଂଶୋଧନରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି।
ନିର୍ବାଚନ କମିସନ ସୂଚନା ଦେଇଛନ୍ତି ଯେ, ଯେଉଁ ଭୋଟରଙ୍କ ନାମ ତାଲିକାରୁ କଟାଯାଇଛି, ସେମାନେ ଡିସେମ୍ବର ୧୬, ୨୦୨୫ରୁ ଜାନୁଆରୀ ୧୫, ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅବଧି ମଧ୍ୟରେ ପୁନଃ ଆବେଦନ କରିପାରିବେ।
ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ପରେ ସର୍ବାଧିକ ସଂଖ୍ୟାରେ ଭୋଟର ନାମ ବାଦ ଦିଆଯାଇଛି। ରାଜ୍ୟରେ ମୋଟ ୫୮,୦୮,୨୦୨ ଜଣ ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରୁ କଟାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୨୪,୧୬,୮୫୨ ଜଣଙ୍କ ନାମ ମୃତ୍ୟୁ ହେତୁ ବାଦ ଦିଆଯାଇଛି। ୧୯,୮୮,୦୦୦ ଭୋଟର ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଥିବାରୁ ସେମାନଙ୍କ ନାମ କଟାଯାଇଛି।
ଏହା ସହ ୧୨,୨୦,୦୩୮ ଜଣ ଭୋଟର ନିଖୋଜ ଥିବା ଦର୍ଶାଇ ତାଲିକାରୁ ବାଦ ହୋଇଥିବାବେଳେ, ୧,୩୮,୩୨୮ ନାମ ଡୁପ୍ଲିକେଟ୍ କିମ୍ବା ନକଲି ବୋଲି ଚିହ୍ନଟ କରାଯାଇଛି। ଅନ୍ୟାନ୍ୟ କାରଣ ଯୋଗୁଁ ଆଉ ୫୭,୬୦୪ ଭୋଟରଙ୍କ ନାମ ମଧ୍ୟ ତାଲିକାରୁ କାଟାଯାଇଛି।
ନିର୍ବାଚନ କମିସନ ମତାନୁସାରେ, ଏହି ସଂଶୋଧନ ପ୍ରକ୍ରିୟାର ଉଦ୍ଦେଶ୍ୟ ଭୋଟର ତାଲିକାକୁ ସଠିକ୍, ସ୍ୱଚ୍ଛ ଏବଂ ଅପଡେଟ୍ ରଖିବା।





