ଜୟପୁର, ୩୧।୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିବେଶ କର୍ମୀ ଓ ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକ୍ଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି। ନ୍ୟାୟିକ ହେପାଜତରେ ରହୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅସ୍ଥିର ହୋଇପଡ଼ିବା ପରେ ଶନିବାର ସକାଳ ପ୍ରାୟ ୬ଟା ୩୦ ମିନିଟରେ ପୁଲିସ ତାଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍ରୁ ଏମ୍ସର ଜରୁରୀ ବିଭାଗକୁ ନେଇଥିଲା। ସେଠାରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡାକ୍ତରମାନେ ପ୍ରାୟ ଡେଢ଼ ଘଣ୍ଟା ଧରି ତାଙ୍କୁ ନିରୀକ୍ଷଣ କରିଥିଲେ।
ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୱାଙ୍ଗଚୁକ୍ଙ୍କ ପାକସ୍ଥଳୀ ସମ୍ବନ୍ଧୀୟ ଅସୁବିଧା ରହିଛି ଏବଂ ଶରୀରର ବିଭିନ୍ନ ଅଂଶରେ ଯନ୍ତ୍ରଣା ହେଉଥିବା ବିଷୟରେ ସେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଚିକିତ୍ସା ପରୀକ୍ଷା ପାଇଁ ଏମ୍ସକୁ ଆଣାଯାଇଥିଲା, ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଣି ଥରେ ଜେଲ୍କୁ ପଠାଯାଇଥିଲା।
ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ତାଙ୍କ ପତ୍ନୀ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ପି.ଭି. ବରଲେଙ୍କ ଖଣ୍ଡପୀଠ ସରକାରୀ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ନିରୀକ୍ଷଣରେ ତାଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ୱାଙ୍ଗଚୁକ୍ଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟରେ ଦାବି କରିଥିଲେ ଯେ, ଜେଲ୍ରେ ଦିଆଯାଉଥିବା ପାଣି ପାଇଁ ତାଙ୍କର ପାକସ୍ଥଳୀ ସମସ୍ୟା ବଢ଼ିଛି ଏବଂ ପୁନଃପୁନି ଅଭିଯୋଗ ସତ୍ତ୍ୱେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ମିଳୁନାହିଁ। ସେ ୱାଙ୍ଗଚୁକ୍ଙ୍କ ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ପରିବାର ପକ୍ଷରୁ ଯୋଗାଯାଉଥିବା ପାନୀୟ ଜଳ ବ୍ୟବହାରକୁ ଅନୁମତି ଦେବାକୁ ମଧ୍ୟ ଅନୁରୋଧ କରିଥିଲେ।
ସୁପ୍ରିମକୋର୍ଟ ଏହି ମାମଲାରେ ୱାଙ୍ଗଚୁକ୍ଙ୍କ ମେଡିକାଲ ରିପୋର୍ଟ ଫେବୃଆରି ୨ ତାରିଖ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ରାଜସ୍ଥାନ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍ ନଟରାଜ କୋର୍ଟକୁ ସୂଚନା ଦେଇ କହିଛନ୍ତି ଯେ, ଗତ ଚାରି ମାସରେ ୱାଙ୍ଗଚୁକ୍ଙ୍କ ୨୧ ଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ସେ ନିୟମିତ ଭାବେ ଡାକ୍ତରୀ ନିରୀକ୍ଷଣରେ ଅଛନ୍ତି।
ଉଲ୍ଲେଖନୀୟ ଯେ, ଲଦାଖକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ କେନ୍ଦ୍ର କରି ଗତ ବର୍ଷ ସେପ୍ଟେମ୍ବରରେ ଲେହରେ ହିଂସା ଘଟିଥିଲା। ଏହି ଘଟଣା ପରେ ୱାଙ୍ଗଚୁକ୍ଙ୍କୁ ଜାତୀୟ ସୁରକ୍ଷା ଆଇନ୍ ଅନୁସାରେ ଅଟକ ରଖାଯାଇଛି।





