ପାରଳାଖେମୁଣ୍ଡି: ନୂଆବର୍ଷର ପ୍ରଥମ ରବିବାର ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଶ୍ରୀକାକୁଲମ ଜିଲ୍ଲାର ବାରୁଆ ଥାନା ଅଧୀନ ଅଞ୍ଚଳରେ ଏକ ଦ୍ରୁତଗାମୀ ଟ୍ରକ୍‌ ଡିଭାଇଡର୍ ଡେଇଁ ଗୋଟିଏ କାରକୁ ସାମ୍ନାରୁ ଧକ୍କା ଦେବା ଫଳରେ ଜଣେ ଶିଶୁକନ୍ୟା ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ୱରର ଗୋଟିଏ ପରିବାର କାରରେ ବିଶାଖାପଟଣା ଯାଉଥିବା ବେଳେ ବାରୁଆ ନିକଟରେ ରାସ୍ତାରେ ହଠାତ୍ ଆସିଥିବା ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଟପି କାରକୁ ସାମ୍ନାପଟୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଥିଲା ଯେ କାରଟି ପୂରାପୂରି ଚୁର୍ମାର୍ ହୋଇଯାଇଥିଲା ଏବଂ ପରେ ଟ୍ରକ୍‌ଟି ରାସ୍ତା ପାର୍ଶ୍ୱରେ ଥିବା ଖେତରେ ପସିଯାଇଥିଲା।

ଘଟଣା ସୂଚନା ପାଇ ପରେ ୧୦୩୩ ଜାତୀୟ ରାଜପଥ କର୍ମଚାରୀ ଓ ପୁଲିସ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି କାର ଭିତରେ ଫସିଥିବା ମୃତାହତଙ୍କୁ ଉଦ୍ଧାର କରିଥିଲେ। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ, ଗୁରୁତର ଆହତମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଏକ ମାମଲା ରୁଜୁ କରିଛି। ରିପୋର୍ଟ ଲେଖାଯିବା ସମୟ ପର୍ଯ୍ୟନ୍ତ ଟ୍ରକ୍‌କୁ ସମ୍ପୂର୍ଣ୍ଣ ଭାବେ ଉଦ୍ଧାର କରାଯାଇନଥିବା ବେଳେ, ଘଟଣାର ସଠିକ୍ କାରଣ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।