ନୂଆଦିଲ୍ଲୀ:

ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ଆଦେଶରେ ସଂଶୋଧନ କରିଛନ୍ତି। ସଂଶୋଧିତ ଆଦେଶ ଅନୁଯାୟୀ, ଦିଲ୍ଲୀ-ଏନସିଆର ଅଞ୍ଚଳରେ କେବଳ BS-4 ଇଞ୍ଜିନ ଥିବା ଏବଂ ନୂଆ ଯାନବାହନକୁ ମାତ୍ର ଚଳାଚଳର ଅନୁମତି ମିଳିବ। BS-3 ମାନକର ଯାନଗୁଡ଼ିକୁ ଏହି ଛାଡ଼ରୁ ବାଦ ଦିଆଯାଇଛି।

ସୁପ୍ରିମକୋର୍ଟ CAQM (କମିଶନ୍ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ)ଙ୍କ ଅନୁରୋଧ ଆଧାରରେ ଏହି ସଂଶୋଧନ କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ୧୦ ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନବାହନ ବିରୋଧରେ ତତ୍କାଳ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।

ପୁରୁଣା ଯାନବାହନ ପାଇଁ କଠୋର ମାନଦଣ୍ଡ

ନୂତନ ଆଦେଶ ଅନୁଯାୟୀ, ପ୍ରଦୂଷଣ ସ୍ତର ଅତ୍ୟଧିକ ଥିବା ସମୟରେ BS-3 ଏବଂ ତାହାଠାରୁ ତଳ ମାନକର ଯାନବାହନ ଚଳାଚଳ ଉପରେ କଠୋର ନିୟନ୍ତ୍ରଣ ଲାଗୁ ହେବ। କୋର୍ଟ କହିଛନ୍ତି ଯେ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏପରି ପଦକ୍ଷେପ ଆବଶ୍ୟକ।

ଅଗଷ୍ଟରେ ମିଳିଥିଲା ଅସ୍ଥାୟୀ ଆଶ୍ୱସ୍ତି

ଏହି ବର୍ଷ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନବାହନ ମାଲିକଙ୍କୁ ଅସ୍ଥାୟୀ ଆଶ୍ୱସ୍ତି ଦେଇଥିଲେ। ସେତେବେଳେ ମୁଖ୍ୟ ବିଚାରପତି ବିଆର୍ ଗବଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ପରିବହନ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଥିଲେ।

ବର୍ତ୍ତମାନ ବାୟୁ ପ୍ରଦୂଷଣର ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଏହି ସଂଶୋଧିତ ଆଦେଶ ଜାରି କରିଥିବା ଜଣାପଡ଼ିଛି, ଯାହା ଦିଲ୍ଲୀ-ଏନସିଆରର ଯାନ ଚଳାଚଳ ଉପରେ ବଡ଼ ପ୍ରଭାବ ପକାଇବ।