ନୂଆଦିଲ୍ଲୀ: ଅପରାଧର ଗମ୍ଭୀରତାକୁ ଯଥାପ୍ରକାର ବିଚାର କରିବା ବିନା ଯଦି କୌଣସି ଅଭିଯୁକ୍ତଙ୍କୁ ଜାମିନ ଦିଆଯାଏ, ତେବେ ସେହି ଜାମିନ ବାତିଲ କରାଯାଇପାରିବ ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ମତ ପ୍ରକାଶ କରିଛନ୍ତି।

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଏନ୍‌ଭି ଅଞ୍ଜରିଆଙ୍କ ଖଣ୍ଡପୀଠ ଆଲାହାବାଦ ହାଇକୋର୍ଟଙ୍କ ୨୦୨୫ ସେପ୍ଟେମ୍ବର ୨ ତାରିଖର ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିବା ବେଳେ ଏହି ରାୟ ଦେଇଛନ୍ତି। ଏହି ମାମଲାରେ ଗୁଲାବକାଳି ନାମକ ଆବେଦନକାରୀ ତାଙ୍କ ଝିଅ ରାଜକେଶର ଚୌଧରୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଆଶିଷ ଗୌତମ ଓରଫ ଅରବିନ୍ଦ କୁମାରଙ୍କୁ ମଞ୍ଜୁର ହୋଇଥିବା ନିୟମିତ ଜାମିନକୁ ଚ୍ୟାଲେଞ୍ଜ କରିଥିଲେ।

ସୁପ୍ରିମ୍ କୋର୍ଟ କହିଛନ୍ତି, ଜାମିନ ଦେବା ସମୟରେ ଅପରାଧର ପ୍ରକୃତି, ଗମ୍ଭୀରତା ଓ ମାମଲାର ପରିସ୍ଥିତିକୁ ନଜରରେ ରଖିବା ଅତ୍ୟାବଶ୍ୟକ। ଏହାକୁ ଅନଦେଖା କରି ଦିଆଯାଇଥିବା ଜାମିନ ଆଇନଗତ ଭାବେ ଟିକି ରହିବ ନାହିଁ।

ଫେବ୍ରୁଆରି ୪ ତାରିଖର ଆଦେଶରେ କୋର୍ଟ ପ୍ରୟାଗରାଜରେ ଘଟିଥିବା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।