ନୂଆଦିଲ୍ଲୀ: ଉତ୍ତର ଭାରତର ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ଆରାବଳୀ ପର୍ବତମାଳାରେ ଚାଲୁଥିବା ସମସ୍ତ ପ୍ରକାର ଖନନ କାର୍ଯ୍ୟ ଉପରେ କଡ଼ା ରୋକ ଲଗାଇଛନ୍ତି। ଗୁରୁବାର ହୋଇଥିବା ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଥିବା ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଆରାବଳୀର ଭୌଗୋଳିକ ସୀମା ସଠିକ୍ ଭାବେ ନିର୍ଦ୍ଧାରଣ ହେବା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଯଥାସ୍ଥିତି ବଜାୟ ରହିବ।
ଶୁଣାଣି ସମୟରେ କିଛି ଖଣି ମାଲିକ ପୂର୍ବରୁ ପାଇଥିବା ଅନୁମତିପତ୍ର ଆଧାରରେ ଖନନ ଜାରି ରଖିବାକୁ ଯୁକ୍ତି ଦେଇଥିଲେ। ତେବେ କୋର୍ଟ ଏହାକୁ ଖାରଜ କରି କହିଥିଲେ ଯେ, ଅଦାଲତ ଯେତେବେଳେ ଖନନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରେ କୌଣସି ଅନୁମତିର ମୂଲ୍ୟ ରହିବ ନାହିଁ ଏବଂ ତୁରନ୍ତ ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ପଡିବ।
ଆରାବଳୀ ପର୍ବତମାଳାର ସଠିକ୍ ସଂଜ୍ଞା ଓ ସୀମାକୁ ନେଇ ଥିବା ଅସ୍ପଷ୍ଟତା ଦୂର କରିବା ପାଇଁ ସୁପ୍ରିମକୋର୍ଟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଆରାବଳୀ ଅଞ୍ଚଳର ସୀମା ନିର୍ଦ୍ଧାରଣ ସହ ଏହାର ଜୈବ ବିବିଧତା ଓ ପରିବେଶୀୟ ଗୁରୁତ୍ୱ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ।
ପରିବେଶବିତ୍ମାନଙ୍କ ମତାନୁସାରେ, ଆରାବଳୀ ପର୍ବତମାଳା ଥର୍ ମରୁଭୂମିର ବିସ୍ତାରକୁ ଅଟକାଇବା ସହ ପ୍ରାକୃତିକ ସନ୍ତୁଳନ ରକ୍ଷା, ଭୂଗର୍ଭ ଜଳସ୍ତର ବୃଦ୍ଧି ଏବଂ ପରିବେଶୀୟ ବିପର୍ଯ୍ୟୟ ରୋକିବାରେ ମୁଖ୍ୟ ଭୂମିକା ନିଭାଉଛି।
ସେପଟେ, ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ବିଶେଷଜ୍ଞଙ୍କ ନାମ ପ୍ରସ୍ତାବ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆରାବଳୀ ଅଞ୍ଚଳରେ କୌଣସି ଖନନ କାର୍ଯ୍ୟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।





