ନୂଆଦିଲ୍ଲୀ: ବେଆଇନ ଖଣି ଖନନ ଦ୍ୱାରା ପରିବେଶର ଗୁରୁତର ଓ ଅପୂରଣୀୟ କ୍ଷତି ଘଟିପାରେ ବୋଲି ମତ ପ୍ରକାଶ କରି ସୁପ୍ରିମ୍‌କୋର୍ଟ ବୁଧବାର ଆରାବଳି ପାହାଡ଼ ଅଞ୍ଚଳରେ ଖଣି ଖନନ ଓ ସଂପୃକ୍ତ ବିଷୟଗୁଡ଼ିକର ସାମଗ୍ରିକ ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ବିପୁଲ ଏମ୍‌. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟି ଓ ଆମିକସ୍ କ୍ୟୁରି କେ. ପରମେଶ୍ୱରଙ୍କୁ ଚାରି ସପ୍ତାହ ମଧ୍ୟରେ ଖଣି ଓ ପରିବେଶ ବିଷୟରେ ପାରଦର୍ଶୀ ପରିବେଶବିତ୍‌ ଓ ବୈଜ୍ଞାନିକଙ୍କ ନାମ ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଏହି କମିଟି କାର୍ଯ୍ୟ କରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଏହାସହ ସୁପ୍ରିମ୍‌କୋର୍ଟ ନଭେମ୍ବର ୨୦ ତାରିଖରେ ଆରାବଳି ପାହାଡ଼ ଓ ପର୍ବତମାଳାର ଏକ ସମାନ ସଂଜ୍ଞାକୁ ନେଇ ଦିଆଯାଇଥିବା ନିର୍ଦ୍ଦେଶନାମା ଉପରେ ଲାଗିଥିବା ସ୍ଥଗିତାଦେଶକୁ ଆହୁରି ବଢ଼ାଇଛନ୍ତି। ଶୁଣାଣି ସମୟରେ କୋର୍ଟଙ୍କୁ ଜଣାଯାଇଥିଲା ଯେ ଆରାବଳିର ବିଭିନ୍ନ ଅଞ୍ଚଳରେ ଅନଧିକୃତ ଖଣି ଖନନ ଚାଲିଛି।

ରାଜସ୍ଥାନ ସରକାରଙ୍କ ପକ୍ଷରୁ ହାଜର ଥିବା ଅତିରିକ୍ତ ସଲିସିଟର ଜେନେରାଲ୍ କେ.ଏମ୍‌. ନଟରାଜଙ୍କ ଏହି ଆଶ୍ୱାସନକୁ ମଧ୍ୟ ଖଣ୍ଡପୀଠ ଗ୍ରହଣ କରିଛନ୍ତି ଯେ ଆଗାମୀ ଦିନରେ କୌଣସି ବେଆଇନ ଖଣି ଖନନକୁ ଅନୁମତି ଦିଆଯିବ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଆରାବଳିର ନୂତନ ସଂଜ୍ଞାକୁ ନେଇ ଉତ୍ତେଜନା ମଧ୍ୟରେ ଗତବର୍ଷ ଡିସେମ୍ବର ୨୯ରେ ସୁପ୍ରିମ୍‌କୋର୍ଟ ନଭେମ୍ବର ୨୦ର ନିର୍ଦ୍ଦେଶକୁ ସ୍ଥଗିତ କରିଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ବିଶେଷଜ୍ଞ ରିପୋର୍ଟ ପ୍ରକାଶ ହେବା ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟରେ ନୂତନ ଖଣି ଲିଜ୍‌ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ କମିଟିର ସୁପାରିଶ ଆଧାରରେ ଆରାବଳି ପାହାଡ଼ ଓ ପର୍ବତମାଳାର ସଂଜ୍ଞା ନିର୍ଦ୍ଧାରଣ କରାଯାଇଥିଲା, ଯାହାକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରିଥିଲେ। କମିଟି ମତ ଦେଇଥିଲା ଯେ, ସ୍ଥାନୀୟ ରିଲିଫ୍‌ଠାରୁ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ଭୂଖଣ୍ଡକୁ ଆରାବଳି ପାହାଡ଼ ଏବଂ ୫୦୦ ମିଟର ମଧ୍ୟରେ ଥିବା ଦୁଇ କିମ୍ବା ଅଧିକ ପାହାଡ଼କୁ ଆରାବଳି ପର୍ବତମାଳା ଭାବେ ଗଣାଯିବ।