ନୂଆଦିଲ୍ଲୀ: ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଯଦି ସାଧାରଣ ବର୍ଗ ପ୍ରାର୍ଥୀଙ୍କ ସମାନ ପ୍ରଦର୍ଶନ କରି ମେରିଟ୍ ଲିଷ୍ଟରେ ଥାନ୍ତି, ସେମାନଙ୍କୁ କେବଳ ସଂରକ୍ଷିତ ବର୍ଗରେ ନୁହେଁ, ବରଂ ସାଧାରଣ ବର୍ଗରେ ମଧ୍ୟ ସ୍ଥାନ ଦିଆଯିବା ଉଚିତ୍ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛି।

ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଊର୍ଦ୍ଧ୍ୱଗାମୀ ସଂରକ୍ଷଣ (progressive reservation) ସିଦ୍ଧାନ୍ତ ଅନୁସାରେ ଯେପରି SC/ST ପ୍ରାର୍ଥୀମାନଙ୍କୁ ସାଧାରଣ ବର୍ଗରେ ଗଣନା କରାଯାଏ, ସେହି ପ୍ରକ୍ରିୟା ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ପ୍ରଚଳିତ ହେବା ଆବଶ୍ୟକ।

କୋର୍ଟ କହିଛି, ଯଦି ଉଚ୍ଚ ନମ୍ବର ପାଇଥିବା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ କେବଳ ସଂରକ୍ଷିତ କୋଟାରେ ରଖାଯାଏ, ତେବେ ତା’ର ସିଧାସଳଖ ପରିଣାମ ହେବ— କମ୍ ନମ୍ବର ପାଇଥିବା ଦିବ୍ୟାଙ୍ଗ ପ୍ରାର୍ଥୀମାନେ ସେହି କୋଟାରୁ ସୁଯୋଗ ପାଇବେନାହିଁ। ଏହା ସଂରକ୍ଷଣର ମୂଳ ଉଦ୍ଦେଶ୍ୟକୁ ବିଫଳ କରିଥାଏ।

ଜଷ୍ଟିସ୍ ସନ୍ଦୀପ ମେହେଟାଙ୍କ ଅବଲୋକନାନୁସାରେ, ଦିବ୍ୟାଙ୍ଗ ବ୍ୟକ୍ତିମାନେ ସାମାଜିକ, ଆର୍ଥିକ ଓ ପ୍ରଶାସନିକ ବାଧା ସମ୍ମୁଖୀନ ହେଉଛନ୍ତି। ସେହିପରିସ୍ଥିତିରେ ସାମ୍ବିଧାନିକ ପ୍ରତିଶ୍ରୁତି ପାଇବାରେ ସେମାନଙ୍କୁ କେନ୍ଦ୍ରସ୍ଥାନୀୟ କରିବା ଆବଶ୍ୟକ। କେବଳ ସମାନ ସୁଯୋଗର ଆଶ୍ୱାସନ ଦେଲେ ହେବନି, ବରଂ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଦୂର କରିବାଟାହିଁ ପ୍ରକୃତ କଲ୍ୟାଣକାରୀ ପଦକ୍ଷେପ ବୋଲି କୋର୍ଟ ଉଲ୍ଲେଖ କରିଛି।