ନୂଆଦିଲ୍ଲୀ, ୧୫ ଅକ୍ଟୋବର: ମୃତ୍ୟୁଦଣ୍ଡ ପଦ୍ଧତି ପରିବର୍ତ୍ତନ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି। କେନ୍ଦ୍ର ସରକାର ଯଦିଓ ଘାତକ ଇଞ୍ଜେକସନ୍ ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବା ପ୍ରସ୍ତାବକୁ ବିରୋଧ କରିଛି, କୋର୍ଟ ପଚାରିଛି — “ସମୟ ସହିତ ସରକାର କାହିଁକି ଖାପ ଖୁଆଇପାରୁ ନାହିଁ?”
ଏହି ମାମଲା ଏକ ଜନସ୍ୱାର୍ଥ ଅଭିଯୋଗ (PIL) ରେ ଉଠିଥିଲା, ଯେଉଁଠାରେ ଆବେଦନକାରୀ ଫାଶୀ ପଦ୍ଧତି ପରିବର୍ତ୍ତନ କରି ଘାତକ ଇଞ୍ଜେକସନ୍, ଫାୟାରିଂ ସ୍କ୍ୱାଡ୍, ଇଲେକ୍ଟ୍ରିକ ଚେୟାର୍ କିମ୍ବା ଗ୍ୟାସ ଚାମ୍ବର ଭଳି ଆଧୁନିକ ପଦ୍ଧତି ଗ୍ରହଣ କରିବାକୁ ଦାବି କରିଛନ୍ତି। ତାଙ୍କ ଯୁକ୍ତି ହେଉଛି — ଏହି ପଦ୍ଧତିଗୁଡ଼ିକ ଅତି କମ ସମୟରେ ମୃତ୍ୟୁ ସମ୍ପାଦନ କରେ ଏବଂ ଏହା ଫାଶୀ ତୁଳନାରେ ଅଧିକ ମାନବିୟ।
ଆବେଦନକାରୀଙ୍କ ଓକିଲ ରିଷି ମାଲହୋତ୍ରା କୋର୍ଟରେ ଯୁକ୍ତି ଦେଇଥିଲେ ଯେ, କଏଦୀଙ୍କୁ ଏହି ବିକଳ୍ପ ଦିଆଯିବା ଉଚିତ୍ — ସେମାନେ ଫାଶୀ ନେବେ କି ଘାତକ ଇଞ୍ଜେକସନ୍। ସେ କହିଥିଲେ ଯେ, ଘାତକ ଇଞ୍ଜେକସନ୍ ଶୀଘ୍ର, ସଭ୍ୟ ଏବଂ ମାନବିକ ହେଉଥିବାବେଳେ ଫାଶୀ ଦୀର୍ଘ, ଯନ୍ତ୍ରଣାଦାୟକ ଏବଂ ନିଷ୍ଠୁର।
କିନ୍ତୁ ସରକାର ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ସୋନିଆ ମାଥୁର କହିଛନ୍ତି ଯେ, ଏହା ଏକ ନୀତିଗତ ମାମଲା ଏବଂ ଏପରି ବିକଳ୍ପ ଦେବା ସମ୍ଭବ ନୁହେଁ। ଏହା ପରେ ନ୍ୟାୟାଧୀଶ ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ମତ ପ୍ରକାଶ କରିଛନ୍ତି ଯେ — ସରକାର ସମୟ ସହିତ ହେଉଥିବା ପରିବର୍ତ୍ତନ ସହିତ “ବିକଶିତ ହେବାକୁ ଇଚ୍ଛୁକ ନୁହେଁ।”
କୋର୍ଟ ମତ ଦେଇଛନ୍ତି ଯେ, ଫାଶୀ ଏକ ପୁରୁଣା ପଦ୍ଧତି ଓ ସମୟ ସହିତ ନୂଆ ଓ ମାନବିୟ ପଦ୍ଧତି ଗ୍ରହଣ ଜରୁରୀ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୧ ରେ ହେବ। ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ଭାରତର ମୃତ୍ୟୁଦଣ୍ଡ ପଦ୍ଧତି ଉପରେ ନୂଆ ଚର୍ଚ୍ଚା ଆରମ୍ଭ କରାଇଛି।