ନୂଆଦିଲ୍ଲୀ, ୧୪ ଜୁଲାଇ: ବୈବାହିକ ମାମଲା ବିଚାରଧୀନ ଥିବା ପରିପ୍ରେକ୍ଷିତରେ ଗୁପ୍ତ ଭାବେ ରେକର୍ଡ କରାଯାଇଥିବା ସ୍ତ୍ରୀ ଓ ସ୍ୱାମୀଙ୍କ କଥାବାର୍ତ୍ତାକୁ ଏବେ ଆଇନସମ୍ମତ ସାକ୍ଷ ଭାବରେ ଗ୍ରହଣ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛି। ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଏକ ପୁରୁଣା ରାୟକୁ ଖାରଜ କରି ଶୀର୍ଷ ଅଦାଲତ କହିଛି ଯେ ଏପରି ରେକର୍ଡିଂ ଏକ ଭାଙ୍ଗା ସମ୍ପର୍କର ପ୍ରମାଣ ଭାବେ ଦେଖାଯିବ ଓ ଏହାକୁ ନ୍ୟାୟିକ ଦୃଷ୍ଟିରୁ ବିଚାର କରିପାରିବ।
ଏହି ମାମଲାରେ ବଠିଣ୍ଡାର ଏକ ପରିବାର କୋର୍ଟ ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀଙ୍କ ସହିତ ହୋଇଥିବା ଫୋନ କଥାବାର୍ତ୍ତାର ରେକର୍ଡିଂ (କମ୍ପାକ୍ଟ ଡିସ୍କ) ବ୍ୟବହାର କରିବାକୁ ଅନୁମତି ଦେଇଥିଲେ, ଯାହା ସ୍ତ୍ରୀଙ୍କ ଅଜାଣତରେ ହୋଇଥିବା ଅଭିଯୋଗ ହୋଇଥିଲା। ସେ ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଶରଣାଗତ ହୋଇଥିଲେ।
ହାଇକୋର୍ଟଙ୍କ ମନ୍ତବ୍ୟ ଏବଂ ସୁପ୍ରିମକୋର୍ଟଙ୍କ ବିପରୀତ ଦୃଷ୍ଟି:
ହାଇକୋର୍ଟ ଏହି ରେକର୍ଡିଂକୁ ଗୋପନୀୟତାର ଉଲ୍ଲଂଘନ ବୋଲି ଅଗ୍ରାହ୍ୟ କରିଥିଲେ। ସେମାନେ କହିଥିଲେ ଯେ ଗୁପ୍ତ ରେକର୍ଡିଂ ଗ୍ରହଣ କରାଯିବା ଘରୋଇ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇପାରିବ ଓ ଏହା ବିବାହ ଜୀବନର ଭାବନାମୂଳକ ପରିସରକୁ କ୍ଷତି ପହଞ୍ଚାଇପାରିବ।
ସୁପ୍ରିମକୋର୍ଟର ନିଷ୍ପତ୍ତି:
ବିଚାରପତି ବିଭି ନାଗରଥନା ଅଧ୍ୟକ୍ଷତାରେ ଖଣ୍ଡପୀଠ କହିଛି ଯେ ଯଦି ଦମ୍ପତି ନିଜେ ଏମିତି ରେକର୍ଡିଂ କରୁଛନ୍ତି, ତେବେ ଏହା ଦେଖାଏ ଯେ ସେମାନଙ୍କ ବିଚ୍ଛିନ୍ନ ସମ୍ପର୍କ ରହିଛି। ଏହିପରି ପ୍ରମାଣ ଗୁଡ଼ିକୁ ବିଚାରଧୀନ ମାମଲାରେ ଗ୍ରହଣ କରିବାରେ ଆଇନ ଅଟକା ନଥାଏ। ତେଣୁ, ଫ୍ୟାମିଲି କୋର୍ଟ ଏହି ଆଧାରରେ ମାମଲା ଆଗକୁ ବଢ଼ାଇପାରିବ।
ଆଇନ ଧାରା ୧୨୨ ଓ ଗୋପନୀୟତା ଅଧିକାର:
ହାଇକୋର୍ଟ ଧାରା ୧୨୨ ଅନୁଯାୟୀ ଏପରି ଗୁପ୍ତ ରେକର୍ଡିଂ ଅପରାଧ ହେବ ବୋଲି ଯେଉଁଥିରେ ବ୍ୟକ୍ତିଗତ ଗୋପନୀୟତା ସୁରକ୍ଷିତ ରହିଥାଏ, ସେଥିରେ ଗଣତନ୍ତ୍ର ସଂବିଧାନ ମାନ୍ୟତା ଦେଇଥିବା ମୌଳିକ ଅଧିକାର ଉପରେ ବି ଅନ୍ତଃର୍ନିହିତ ଥିଲା। ଏହାକୁ ସୁପ୍ରିମକୋର୍ଟ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ବୈବାହିକ ମାମଲାରେ ଏହାକୁ ସାକ୍ଷ ଭାବେ ଗ୍ରହଣ କରିବା ପାଇଁ ଅନୁମତି ଦେଇଛି।