ନୂଆଦିଲ୍ଲୀ, ୧୯ ଅଗଷ୍ଟ୍: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ୧୬ ବର୍ଷ ବୟସ୍କା ମୁସଲିମ ଝିଅ ନିଜ ଇଚ୍ଛାରେ ବିବାହ କରିପାରିବେ। ଏହି ରାୟ ସହିତ, ଶୀର୍ଷକୋର୍ଟ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।

୨୦୨୨ରେ, ପଞ୍ଜାବ-ହରିୟାଣା ହାଇକୋର୍ଟ ୨୧ ବର୍ଷୀୟ ମୁସଲିମ ଯୁବକ ଓ ୧୬ ବର୍ଷୀୟ ମୁସଲିମ ଝିଅଙ୍କ ପ୍ରେମ ବିବାହକୁ ମୁସଲିମ ବ୍ୟକ୍ତିଗତ ଆଇନ ଅନୁସାରେ ବୈଧ ବୋଲି ଘୋଷଣା କରିଥିଲା। ସେହି ସମୟରେ ହାଇକୋର୍ଟ ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା। କିନ୍ତୁ, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଶୁଣାଣି ସମୟରେ ଜଷ୍ଟିସ୍ ବି.ଭି. ନାଗାରତ୍ନାଙ୍କ ଖଣ୍ଡପୀଠ ପ୍ରଶ୍ନ କଲେ— “ଏହି ମାମଲା ସହିତ NCPCR-ର ସମ୍ପର୍କ କ’ଣ? ଯଦି ସେମାନେ ପକ୍ଷ ନୁହାନ୍ତି, ତେବେ ଆବେଦନର ଯଥାର୍ଥତା କ’ଣ?” କୋର୍ଟ ସ୍ପଷ୍ଟ କଲା ଯେ, NCPCR-ର ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରିବାର କୌଣସି ଅଧିକାର ନାହିଁ।

NCPCR ଦାବି କରିଥିଲା ଯେ, ୧୬ ବର୍ଷୀୟା ଝିଅଙ୍କ ବିବାହ ବାଲ୍ୟ ବିବାହ ନିଷେଧ ଆଇନ 2006-ର ଉଲ୍ଲଂଘନ, ଯେଉଁଥିରେ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଛି। କିନ୍ତୁ, ସୁପ୍ରିମକୋର୍ଟ କହିଛନ୍ତି ଯେ, ମୁସଲିମ ପର୍ସନାଲ ଲ-ରେ ୧୫ ବର୍ଷ ପରେ ବିବାହ ସମ୍ମତି ସମ୍ଭବ।

ମାମଲାଟି ପଠାଣକୋଟ (ପଞ୍ଜାବ) ସହିତ ସମ୍ବନ୍ଧିତ। ୨୦୨୨ରେ, ଜଣେ ୧୬ ବର୍ଷୀୟା ଝିଅ ନିଜ ୨୧ ବର୍ଷୀୟ ପ୍ରେମିକଙ୍କୁ ବିବାହ କରିଥିଲେ। ପରିବାରୀକ ଆପତ୍ତି ପରେ, ସେମାନେ ହାଇକୋର୍ଟରେ ସୁରକ୍ଷା ଆବେଦନ କରିଥିଲେ। ହାଇକୋର୍ଟ ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲା।

ଜାତୀୟ ମାନବାଧିକାର କମିସନର ସଦସ୍ୟ ପ୍ରିୟଙ୍କ କାନୁନଗୋ ସୁପ୍ରିମକୋର୍ଟର ନିଷ୍ପତ୍ତି ଉପରେ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ, ଏହାର ପରିଣାମରେ ଭବିଷ୍ୟତରେ ଝିଅମାନଙ୍କ ସୁରକ୍ଷା ବିପଦରେ ପଡ଼ିପାରେ।